କୋଦଳା,୨୫/୧(ସୂର୍ଯ୍ୟ ନାରାୟଣ ବଡୁ):-ବିଗତ ଜଓ୍ବାଦ ବାତ୍ୟାରେ ଗଂଜାମ ଜିଲ୍ଲା ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଯାବତ୍ କୌଣସି ସରକାରୀ ସହାୟତା ପାଇ ନାହାଁନ୍ତି। ଆଉ ଏବେ ଅମଳ କରିଥିବା ଧାନକୁ ସରକାରୀ ମଣ୍ଡିରେ ବିକ୍ରି କରି ନପାରି ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ। ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଆସିଥିବା ବେଳେ ଚାଷୀଙ୍କ ଏହି ସମସ୍ଯା ଏକ ପ୍ରମୁଖ ମୁଦ୍ଦା ଭାବେ ଉଭା ହୋଇଛି। ମିଲର୍ ମାନଙ୍କ ମନମାନି ଯୋଗୁଁ ଚାଷୀ ଧାନ ବିକ୍ରୟ କରି ପାରୁ ନଥିବା ଅଭିଯୋଗ କରି ସୋମବାର ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତର ଅନେକ ଚାଷୀ ପୁର୍ତ୍ତ ବିଭାଗ ମୁଖ୍ୟରାସ୍ତା ରେ ଶହ ଶହ ଧାନ ବସ୍ତା ରଖି ରାଜରାସ୍ତା କୁ ଓଲ୍ହାଇଛନ୍ତି । ଅଭିଯୋଗ ଅନୁଯାୟୀ ବାତ୍ୟାରେ ଉକ୍ତ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇ ନ ଥିବା ସ୍ଥାନୀୟ ପ୍ରଶାସନ ରିପୋର୍ଟ ପ୍ରଦାନ କରିଛନ୍ତି।କେବଳ ଦୁଇଗୋଟି ପଞ୍ଚାୟତ ବ୍ୟତୀତ ଅନ୍ୟ ସବୁ ପଞ୍ଚାୟତ ଠିକ ଥିବା ଦର୍ଶାଯାଇଛି!ତେବେ ଅଧିକାଂଶ ସ୍ଥାନରେ ଫସଲ ନଷ୍ଟ ହୋଇଥିବା ବେଳେ ଏଭଳି ରିପୋର୍ଟ ଦୁର୍ଭାଗ୍ୟଜନକ ବୋଲି ଚାଷୀମାନେ କହିଛନ୍ତି।କିଛିଦିନ ପୂର୍ବେ ଏହାକୁ ନେଇ କ୍ଷତିଗ୍ରସ୍ଥ ଚାଷୀ କୋଦଳା ତହସିଲ କାର୍ଯ୍ୟଳୟ ସାମ୍ନା ରେ ଧାରଣା ରେ ବସି ପୁଣି କ୍ଷତିଗ୍ରସ୍ଥ ଚାଷୀଙ୍କ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ପାଇବା ପରେ ଧାରଣା ରୁ ଉଠିଥିଲେ !କିନ୍ତୁ ଫଳ ଶୁନ!ମଣ୍ଡି ଖୋଲିଲା କିନ୍ତୁ ମିଲର ଧାନ ଉଠାଇବାକୁ ନାରାଜ ! ଯଦି ଧାନ ଫସଲ ନଷ୍ଟ ହୋଇନି ତେବେ ଆମ ଧାନକୁ ଖରାପ ବୋଲି କହି ଧାର୍ଯ୍ଯ ଠାରୁ ଅଧିକ ଧାନ ନେବାକୁ ମିଲର୍ କାହିଁକି କହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଚାଷୀ।
ସୂଚନା ଅନୁସାରେ ଉକ୍ତ ଅଞ୍ଚଳର ମିଲର୍ ମାନେ ବସ୍ତା ପିଛା ଆଉ ୫ କେଜି ଅଧିକ ଧାନ ନେବାକୁ ଅଡି ବସିଥିବା ବେଳେ ଚାଷୀ ଏଥିରେ ରାଜି ହେଉ ନାହାନ୍ତି। ଯାହାକୁ ନେଇ ବିବାଦ ଦେଖାଦେଇଛି । ଗୋଟିଏ ପଟେ ଚାଷୀ ଟୋକେନ୍ ପାଇଥିବା ବେଳେ ଏହାର ଅବଧି ଶେଷ ହେବାକୁ ବସିଲାଣି। ଯଦି ତୁରନ୍ତ ଏ ସମସ୍ଯାର ସମାଧାନ ନ ହୁଏ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ। ଖବର ପାଇ ଘଟଣା ସ୍ଥଳରେ କୋଦଳା ତହସିଲଦାର ସସ୍ମିତା ଶତପଥି , ବେଗୁନିଆପଡା ଫାଣ୍ଡି ଅଧିକାରୀ ସଂଗ୍ରାମ ଦେଉରି , ଯୋଗାଣ ଅଧିକାରୀ ଉପସ୍ଥିତ ରହି ଲୋକଙ୍କୁ ବୁଝାଶୁଝା କରିବା ପରେ ମଧ୍ୟ ଚାଷୀ ମାନେ ପ୍ରତିଶୃତି କାର୍ଯ୍ୟକାରୀ ନହେବା ଯାଇଁ ଧାରଣ ଚାଲୁ ରହିବ ବୋଲି କହିଛନ୍ତି।ବର୍ତ୍ତମାନ ସୁଦ୍ଧା ପ୍ରଶାସନ ଓ କୃଷକ ମାନଙ୍କ କୌଣସି ସମାଧାନ ର ରାସ୍ତା ବାହାରି ପାରିନଥିବା ବେଳେ ରାସ୍ତା ଉପରେ ହିଁ କୃଷକ ରୋଷେଇ କରି ଖାଉ ଥିବା ମଧ୍ୟ ଜଣା ପଡିଛି ।ଆସିକା ଭୁବନେଶ୍ୱର ରାସ୍ତାରେ ଗାଡି ଠିଆ ହୋଇଥିବା ଦେଖିବାକୁ ମିଳିଛି ।

















