କୋଦଳା,୨୫/୧୨(ସୂର୍ଯ୍ୟ ନାରାୟଣ ବଡୁ) :- ଜୱାଦ ବାତ୍ୟା ପ୍ରଭାବରେ କୋଦଳା ତହସିଲ ଅନ୍ତର୍ଗତ ବେଗୁନିଆପଡା ବ୍ଲକ ଓ କୋଦଳା ଅଞ୍ଚଳର ସମସ୍ତ ଧାନ ଓ ପନିପରିବା ଚାଷୀ କ୍ଷତି ସହିଥିବା ବେଳେ ଆଜି ଯାଏଁ କୌଣସି ଚାଷୀ କ୍ଷତିପୂରଣ ପାଇନଥିବା ସହ ସଠିକ ଭାବରେ ଆକଳନ ହୋଇନଥିବା ଅଭିଯୋଗ କରି ଆଜି ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଶତାଧିକ ମହିଳା ଓ ପୁରୁଷ ଚାଷୀ କୋଦଳା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ !ମୁଖ୍ୟଦାବି ଥିଲା ସରକାରଙ୍କ ନିଷ୍ପତ୍ତି ପ୍ରକାରେ କମିଟି ଗଠନ କରାଯାଇ ଚାସିଙ୍କ କ୍ଷୟକ୍ଷତି ଆକଳନ କରିବା କଥା କିନ୍ତୁ କୌଣସି ଚାଶୀ ନ ଜାଣି କେମିତି ରିପୋର୍ଟ ପଠାଗଲା ଏବଂ ନିକଟ ବ୍ଲକ ର ସମସ୍ତ ପଞ୍ଚାୟତ ର ଚାଶୀ ଉପକୃତ ହେବାକୁ ଥିବାବେଳେ ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସି ର ମାତ୍ର ଦୁଇଗୋଟି ପଞ୍ଚାୟତ ଛାଡିଦେଲେ ଅନ୍ୟ କୌଣସି ପଞ୍ଚାୟତ ର ନାମ କେମିତି ନାହିଁ ବୋଲି ଦୃଢ଼ ଦାବି ଉପସ୍ଥାପନ କରିଥିଲେ! ଚାଷୀ ସଂଗଠନ କୋଦଳା ବିଜେ ଶ୍ରୀ ଦଣ୍ଡିଶ୍ୱର ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ତହସିଲ ଆଗରେ ପହଂଚି ଥିଲେ। ଲଗାଣ ବର୍ଷାରେ ଶହ ଶହ ହେକ୍ଟର ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଅମଳ ଧାନକୁ ଏଫଏକ୍ୟୁ ମାନକୁ କୋହଳ କରି ମଣ୍ଡି ଜରିଆରେ କିଣିବା ସହ ଚାଷୀଙ୍କୁ ବୀମା ରାଶି ପ୍ରଦାନ, ଧାନ ଚାଷୀଙ୍କୁ ଏକର ପିଛା ୨୦ ହଜାର ଟଙ୍କା ପ୍ରଦାନ, ପନି ପରିବା ଚାଷୀଙ୍କୁ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ, ରବି ଫସଲ ପାଇଁ ରିହାତି ଦରରେ ସାର ଯୋଗାଣ, ଏବଂ ପୁନର୍ବାର ସଠିକ କ୍ଷତି ଆକଳନ କରିବା ପାଇଁ ଚାଷୀମାନେ ଦାବୀ କରିଥିଲେ। ଓଡ଼ିଶାର ବରିଷ୍ଠ କୃଷକ ନେତା ପ୍ରଫୁଲ୍ଲ ସାମନ୍ତରାୟ,ମଧୁସୂଦନ ସେଠି,ବିଜୟ କୁମାର ସ୍ୱାଇଁ,ଚାଷୀ ସଂଗଠନ ସମ୍ପାଦକ ସୀମାଞ୍ଚଳ ନାହାକ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିବା ବେଳେ ତହସିଲଦାରଙ୍କ ବକ୍ତବ୍ୟ ରେ ଅସନ୍ତୋଷ ବ୍ୟକ୍ତ କରି ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିଥିଲା ଚୁଲିଜାଳି ରୋଷେଇ ମଧ୍ୟ ଆରମ୍ଭ ହୋଇଯାଇଥିଲା !ଥାନାଧିକାରୀ ଦେବାଶିଷ ମହାନ୍ତିଙ୍କ ଉପସ୍ଥିତି ରେ ଯଦି କିଛି ଭୁଲ ଥାଏ ତାହାହେଲେ ୪ ଦିନ ମଧ୍ୟରେ କ୍ଷୟକ୍ଷତି ପୁନଃ ଆକଳନ ପାଇଁ ଚେଷ୍ଟା କରାଯିବ ବୋଲି ତହସିଲ ପକ୍ଷରୁ ପ୍ରତିଶୃତି ଦେବାପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା।

















