Saturday, August 29, 2026
ADVERTISEMENT
Home ଆଞ୍ଚଳିକ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ‘ଗୁଲାବ୍‌’

ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ‘ଗୁଲାବ୍‌’

130
ADVERTISEMENT

ଭୁବନେଶ୍ୱର,୨୬/୯(ଡ଼ି.ଏଚ/ବ୍ୟୁରୋ): ଆଜି ସନ୍ଧ୍ୟାରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବାକୁ ଥିବା ସାମୁଦ୍ରିକ ବାତ୍ୟା ‘ଗୁଲାବ୍‌’ (ଗୋଲାପଫୁଲ) ପ୍ରଭାବରେ ସମଗ୍ର ରାଜ୍ୟର ଅଧିକାଂଶ ଅଞ୍ଚଳରେ ଆଜି ସକାଳ ୮.୩୦ରୁ ଆସନ୍ତାକାଲି ପର୍ଯ୍ୟନ୍ତ ମଧ୍ୟମ କିଂବା ଘଡ଼ଘଡ଼ି ସହ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍‌ରୁ ଜଣାପଡ଼ିଛି । ପାଣିପାଗ ବିଭାଗ ବୁଲେଟିନ୍‌ ଅନୁସାରେ, ରାଜ୍ୟର ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଅଳ୍ପ କେତେ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହାଛଡ଼ା, ଉପରୋକ୍ତ ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ଉପରୋକ୍ତ ସମସ୍ତ ଜିଲ୍ଲାଗୁଡ଼ିକରେ ‘ରେଡ୍‌ ୱାର୍ଣ୍ଣିଙ୍ଗ୍‌’ ଜାରି କରାଯାଇଛି । ସେହିପରି, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏ କିଂବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ‘ଅରେଞ୍ଜ୍‌ ୱାର୍ଣ୍ଣିଙ୍ଗ୍‌’ ଜାରି କରାଯାଇଛି । ଏହା ବ୍ୟତିରେକେ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲାର ଗୋଟିଏ କିଂବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥବାରୁ ‘ୟେଲୋ ୱାର୍ଣ୍ଣିଙ୍ଗ୍‌’ ଜାରି କରାଯାଇଛି । ସୂଚନାଯୋଗ୍ୟ, ଆଜି ମଧ୍ୟରାତ୍ରୀ ବେଳକୁ ସାମୁଦ୍ରିକ ବାତ୍ୟା ‘ଗୁଲାବ୍’ ଘଣ୍ଟା ପ୍ରତି ୭୫ ରୁ ୮୫ କିଲୋମିଟର୍ ପବନ ସହ ଉତ୍ତର ଆନ୍ଧ୍ର ପ୍ରଦେଶ ମଧ୍ୟରେ ଦକ୍ଷିଣ ଓଡ଼ିଶାର କଳିଙ୍ଗପଟ୍ଟନମ ଓ ଗୋପାଳପୁର ଦେଇ ଉପକୂଳ ଅତିକ୍ରମ କରିପାରେ ।

Advertisement