କୁକୁଡାଖଣ୍ଡି,୧୧/୯(ଇ.ରଞ୍ଜନ): ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦିନିକିଆ ଗଞ୍ଜାମ ଗସ୍ତରେ ଆସି କୁକୁଡାଖଣ୍ଡି ବ୍ଲକ କଙ୍କିଆ ପଂଚାୟତରେ ନିର୍ମାଣଧୀନ ଘଟକେଶ୍ୱର ବହୁମୁଖୀ ପ୍ରକଳ୍ପର ସମୀକ୍ଷା କରିଛନ୍ତି l ଚିକିଟି ଜଳସେଚନ ବିଭାଜନ ଅଧୀନରେ ଥିବା ଏହି ପ୍ରକଳ୍ପର ୨୦୨୦ ମସିହା ଫେବୃଆରୀ ମାସରେ କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା lଏହି ପ୍ରକଳ୍ପ ହେଲେ ବ୍ରହ୍ମପୁର, କୁକୁଡାଖଣ୍ଡି, ରଙ୍ଗେଈଲୁଣ୍ଡା ବ୍ଲକର ୭୫ହଜାର ଜନସାଧାରଣ ଙ୍କୁ ୮.୨୫ ମିଲିଲିଟର ଜଳ ଯୋଗାଇବା ସହ କୁକୁଡାଖଣ୍ଡି ତହସିଲର ୬୦୦ହେକ୍ଟର ଜମିକୁ ଜଳସେଚନ କରିବ l ପ୍ରକଳ୍ପର ମୂଲ୍ୟ ୧୭୨.୬କୋଟି ରହିଛି l ଜୁଲାଇ ୨୦୨୨ ମସିହା ପୂର୍ବରୁ ଏହି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ l ପ୍ରକଳ୍ପର ରୂପରେଖ ସହ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ଜଳସମ୍ପଦ ଯନ୍ତ୍ରୀ ବିସ୍ତୃତ ବୁଝାଇଥିଲେ l ପ୍ରକଳ୍ପ କାର୍ଯ୍ୟରେ ଜମି ଅଧିଗ୍ରହଣ ସରିଛି l କୋଇଲିକୋଟ, ସରକଟ, କଙ୍କିଆ ପଂଚାୟତରେ ଏହି ଜମି ଅଧିଗ୍ରହଣ ହୋଇଛି l ଜଳସେଚନ ବିଭାଗ ନାଁରେ ଅଧିଗ୍ରହଣ ହୋଇଥିବା ଜମି ପରିବର୍ତ୍ତନ ହେବ ଏବଂ ସେ ଉପରୁ ଖଜଣା ଛାଡ଼ ପ୍ରସ୍ତାବକୁ ମଧ୍ୟ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି l ମୁଖ୍ୟସଚିବଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ବିଜୟ ଅମ୍ବୃତ କୁଳାଙ୍ଗେ, ଆରଡିସି ଟି. ଆପଙ୍ଗ ରାଓ, ପିଡି ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ଉପ ଜିଲ୍ଲାପାଳ, କୁକୁଡାଖଣ୍ଡି ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ପ୍ରମୁଖ ଉପସ୍ଥିତ ଥିଲେ l

















