ପ୍ରେମିକାକୁ ଜିଆନ୍ତା ଜାଳିଦେବା ଘଟଣାରେ ପ୍ରେମିକ ଗିରଫ

151
ADVERTISEMENT

ବ୍ରହ୍ମପୁର,୩୦/୦୭(ସୁଦାମ ମହାରଣା): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରେମ ବ୍ୟାପରକୁ କେନ୍ଦ୍ର କରି ଜଣେ ପ୍ରେମିକ ତାର ପ୍ରେମିକାକୁ ସ୍ପିରିଟ୍ ଢାଳି ଜୀଆନ୍ତା ଜାଳିଦେଇଛି । ଗ୍ରାମବାସୀ, ପୋଲିସ ଓ ଦମକଳବାହିନି ଘଟଣା ସ୍ଥଳରେ ପହଞ୍ଚି ଯୁବତୀକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୁଷୋତ୍ତମପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡମେଡିକାଲ ସ୍ଥାନାନ୍ତର କରାଯାଇଛି । ମୃତ୍ୟୁ ସହ ସଙ୍ଘର୍ଷ ପରେ ଶେଷରେ ଯୁବତୀ ଜଣଙ୍କ ଜୀବନ ଦୀପ ଲିଭିଯାଇଛି । ଶବ ବ୍ୟବଛ୍ଛେଦ ପରେ ମର ଶରୀରକୁ ପରିବାରକୁ ହସ୍ତାନ୍ତର କରାଯାଇଛି । ପୁରୁଷୋତ୍ତମପୁର ପୁଲିସ ଅଭିଯୁକ୍ତ କୃଷ୍ଣ ଚନ୍ଦ୍ର ସାହୁକୁ ଗିରଫ କରିଛି । ଲଭ ପରେ ମର୍ଡର ଘଟଣା ସାରା ରାଜ୍ୟରେ ଛାଞ୍ଚଲ୍ୟ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁସାରେ ,ବୁଗୁଡା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ସଦାଶିବପୁରଶାସନ ପ୍ରଶାନ୍ତ କୁମାର ଖାଡଙ୍ଗାଙ୍କ ବଡ ଝିଅ ଶୁଭସ୍ମିତା ବ୍ରହ୍ମପୁରରୁ ଡିଏମ୍ ଏଲ୍ ଟି କୋର୍ସ ସାରି ଭଞ୍ଜନଗର ବ୍ଲକର ମୁଜାଗଡ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ପାଥୋଲୋଜି ଟେକିନିସିଆନ ଭାବେ ମାସେ ହେଲା କାର୍ଯ୍ୟ କରୁଥିଲେ । ବ୍ରହ୍ମପୁରରେ ରହି ପାଠପଢା ସମୟରେ ୨୦୧୫ ମସିହାରୁ ଉଭୟ ଶୁଭସ୍ମିତା ଓ ବିଟେକ ଛାତ୍ର କୃଷ୍ଣ ଚନ୍ଦ୍ର ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।କୃଷ୍ଣ ଚନ୍ଦ୍ର ଭୁବନେଶ୍ୱର ଇନ୍ ଫୋସିସ୍ କମ୍ପାନୀରେ କରୋନା କଟକଣା ଯୋଗୁଁ ଘରେରହି କାର୍ଯ୍ୟ ସମ୍ପାଦନ କରୁଥିଲା । କୃଷ୍ଣ ଚନ୍ଦ୍ର ର ବାପା ମା ପଶ୍ଚିମବଙ୍ଗ ରହୁଛନ୍ତି । ୬ ମାସ ତଳେ ଉଭୟେ ଲିଭ ଇନ୍ ରିଲେସନସିପ୍ ଭୁବନେଶ୍ୱରରେ ରହୁଥିଲେ । ଜାତି ଭିନ୍ନ ହୋଇଥିବାରୁ ପରିବାର ଲୋକେ ଏହାକୁ ସମର୍ଥନ କରୁନଥିଲେ । କୃଷ୍ଣଙ୍କ ର ମାମୁଁ ଝିଅ ସହିତ ଆସନ୍ତା ମାର୍ଗଶିର ମାସରେ ବାହାଘର ହେବା ପାଇଁ ସ୍ଥିର ହୋଇଥିଲା । ବାହାଘରକୁ ଦୃଷ୍ଟିରେ ରଖି କୃଷ୍ଣ ଚନ୍ଦ୍ର ଶୁଭସ୍ମିତା ଠାରୁ ଦୂରେଇ ରହୁଥିଲା । ଶୁଭସ୍ମିତା ଏହା ଜାଣିବା ପରେ ବିବାହ ପାଇଁ ଜିଦ୍ କରିବାରୁ କୃଷ୍ଣଚନ୍ଦ୍ର ସବୁଦିନ ଲାଗି ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା । କୃଷ୍ଣଚନ୍ଦ୍ର ବାହାଘର ବିଷୟରେ ଆଲୋଚନା କରିବା ପାଇଁ ପ୍ରତାପୁର ଗ୍ରାମକୁ ଡାକି ଏକ ପରିତ୍ୟକ୍ତ ମିଲ ଘରକୁ ନେଇ ସ୍ପିରିଟ୍ ପକାଇ ନିଆ ଲଗାଇ ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଶୁଭସ୍ମିତାକୁ ଉଦ୍ଧାର କରାଯାଇଥିଲା । ପୁରୁଷୋତ୍ତମପୁର ଏସ୍ ଡି ପି ଓ ସୂର୍ଯ୍ୟମଣି ପ୍ରଧାନ ଓ ତହସିଲଦାରଙ୍କ ଉପସ୍ଥିତରେ ବୟାନ ରେକର୍ଡ କରାଯାଇଥିଲା । ବିବାହ ପାଇଁ ଜିଦ୍ କରିବାରୁ କୃଷ୍ଣ ଚନ୍ଦ୍ର ସ୍ପିରିଟ୍ ପକାଇ ନିଆ ଲଗାଇ ଦେଇଥିବା ଶୁଭସ୍ମିତା ବୟାନରେ କହିଛନ୍ତି । ବ୍ରହ୍ମପୁର ମେଡିକାଲରେ ଶୁଭସ୍ମିତା ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ଏକ ଚାରି ଜଣିଆ ସାଇଣ୍ଟିଫିକ୍ ପହଞ୍ଚି ବିଭିନ୍ନ ଦିଗ ଉପରେ ତଦନ୍ତ କରିଥିଲେ । ସେଠାରୁ ରେକ୍ଟିଫାଇଡ୍ ସ୍ପିରିଟ୍ ଦୁଇ ବୋତଲ, ଏକ ବ୍ୟାଗ,ମୋବାଇଲ,ଲାପଟପ, ଚୁନି,ବାଇକ୍,ଦିଆସିଲ,କାଗଜପତ୍ର ଏକ ବ୍ୟାଗ ଜବତ ହୋଇଛି । ଶୁଭସ୍ମିତାର ପରିବାର ଲୋକେ ଅଭିଯୁକ୍ତ କୃଷ୍ଣଚନ୍ଦ୍ରକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବା ପାଇଁ ଦାବି କରିଥିଲେ ।କିନ୍ତୁ କୃଷ୍ଣଚନ୍ଦ୍ର ତା ବିରୁଦ୍ଧରେ ଆସିଥିବା ହତ୍ୟା ଅଭିଯୋଗ ମିଛ ବୋଲି କହିଥିଲେ ।

Advertisement