ବ୍ରହ୍ମପୁର,୨୮/୦୭(ସୁଦାମ ମହାରଣା): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରେମ ବ୍ୟାପରକୁ କେନ୍ଦ୍ର କରି ଜଣେ ପ୍ରେମିକ ତାର ପ୍ରେମିକାକୁ ପେଟ୍ରୋଲ ଢାଳି ଜୀଆନ୍ତା ଜାଳିଦେଇଛି । ଗ୍ରାମବାସୀ, ପୋଲିସ ଓ ଦମକଳବାହିନି ଘଟଣା ସ୍ଥଳରେ ପହଞ୍ଚି ଯୁବତୀକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୁଷୋତ୍ତମପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡମେଡିକାଲ ସ୍ଥାନାନ୍ତର କରାଯାଇଛି । ତାଙ୍କର ଶରୀର ୭୦ର୮୦ଭାଗ ପୋଡି ଯାଇଛି । ମିଳିଥିବା ସୂଚନା ଅନୁସାରେ ,ପ୍ରତାପୁର ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ପୁଅ କୃଷ୍ଣ ଚନ୍ଦ୍ର ସାହୁ କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅନ୍ତର୍ଗତ ଜଣେ ୨୫ ବର୍ଷ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରବର୍ତ୍ତୀ ସମୟରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା । କିନ୍ତୁ ଯୁବତୀ ଜଣକ ବିବାହ କରିବା ପାଇଁ ଜିଦ୍ କରୁଥିଲା । କିନ୍ତୁ କୃଷ୍ଣ ଚନ୍ଦ୍ର ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଠାଇବା ପୂର୍ବରୁ ପ୍ରସ୍ତୁତ କରିଥିଲା । ଆଜି ବିବାହ କରିବା ପାଇଁ ନିଜ ଗାଁକୁ ଡାକି ଏକ ପରିତ୍ୟକ୍ତ ଘରକୁ ନେଇଥିଲା । ପେଟ୍ରୋଲ ଢାଳି ନିଆ ଲଗାଇବା ସହ ବାରିପଟ କବାଟ ବନ୍ଦ କରି ଫେରାର ହୋଇଯାଇଥିଲା । ଘର ଭିତରୁ ଯୁବତୀଙ୍କର ଚିତ୍କାର ଶୁଣି ଗ୍ରାମବାସୀ କବାଟ ଖୋଲି ଥିଲେ । ପୋଲିସ ଓ ଦମକଳବାହିନି ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ । ପୁରୁଷୋତ୍ତମପୁର ଏସ୍ ଡିପି ଓ ସୂର୍ଯ୍ୟ ମଣିବୈଦ୍ୟ, ତହସିଲଦାର ନୀତିଶକୁମାର ତ୍ରିପାଠୀ ଯୁବତୀଙ୍କର ବୟାନ ରେକର୍ଡ କରିଥିଲେ । ମୋବାଇଲ ଟ୍ରାକ କରି ଫେରାର ହୋଇଯାଉଥବା କୃଷ୍ଣକୁ ରାତିରେ ପୁରୁଷୋତ୍ତମପୁର-ବ୍ରହ୍ମପୁର ରାସ୍ତାରେ ପୋଲିସ କାବୁ କରିଛି ।ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।

















