ନାବାର୍ଡର ୪୦ ତମ ପ୍ରତିଷ୍ଠା ଦିବସ ପାଳିତ

159
ADVERTISEMENT

ଛତ୍ରପୁର,୨୧/୦୭(ସୁଦାମ ମହାରଣା): ନାବାର୍ଡର ୪୦ ତମ ପ୍ରତିଷ୍ଠା ଦିବସ ଅବସରରେ ଏବଂ କୃଷି ଏବଂ ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ଜାତି ଉଦ୍ଦେଶ୍ୟରେ ଏହାର ୪୦ ବର୍ଷର ସେବାକୁ ସ୍ମରଣ କରିବା ପାଇଁ କୋଭିଡ୍ କଟକଣା ଅନୁସରଣ କରି ଆଜି ମଙ୍ଗଳବାର ଦିନ ଭୁବନେଶ୍ୱର ରାଜଭବନ ପରିସରରେ ଏକ ଆଭାସୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଓଡିଶାର ମାନ୍ୟବର ରାଜ୍ୟପାଳ ଗଣେଶୀଲାଲ୍ ଉନ୍ନୟନ କମିଶନର ତଥା ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଗ୍ରାମାଞ୍ଚଳରେ ବିକାଶ କ୍ଷେତ୍ରରେ କୃଷିର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ । ଅର୍ଥ ବିଭାଗର ମୁଖ୍ୟ ସଚିବ ତଥା ନାବାର୍ଡର ଚିଫ୍ ଜେନେରାଲ ମ୍ୟାନେଜର ଏହି କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ । ଏହି ଆଭାସୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଜିଲ୍ଲା ସ୍ତରରୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଗଞ୍ଜାମ ଜିଲ୍ଲାର କୃଷିର ଉନ୍ନତି ଦିଗରେ ନାବାର୍ଡର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ । ଗଞ୍ଜାମ ଜିଲ୍ଲାର କୃଷକ ଗଣ ଆତ୍ମ ନିର୍ଭରଶୀଳ ହେବା ଦିଗରେ କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନ ଲାଭ ପାଇଁ ନାବାର୍ଡର ପଦକ୍ଷେପକୁ ଗଞ୍ଜାମ ଜିଲ୍ଲା ଗ୍ରାମାଞ୍ଚଳରେ ଉନ୍ନତି କଳ୍ପେ ଭିତ୍ତିଭୂମିର ବିକାଶ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଶା ପ୍ରକଟ କରିଥିଲେ । ୧୯୯୫ ମସିହାଠାରୁ ୪୨୮୧ ଗୋଟି ପ୍ରକଳ୍ପ ନିମନ୍ତେ ୨୮୧୩ କୋଟି ଋଣ ପ୍ରଦାନ କରାଯାଇଥିବା ସୂଚନା ମିଳିଥିଲା । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନିରନ୍ତର ଜୀବୀକା ଯୋଗାଇଦେବା କ୍ଷେତ୍ରରେ ନାବାର୍ଡ ଦ୍ୱାରା ପ୍ରଦତ୍ତ ପ୍ରଶିକ୍ଷଣର ବ୍ୟବସ୍ଥା ସହିତ ଜଳ ବିଭାଜିକା ପ୍ରକଳ୍ପ କୃଷକ ଉତ୍ପାଦକ କମ୍ପାନୀ ଗୁଡିକର ପଦୋନ୍ନତି ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଗୁଡିକୁ ଭୂୟସୀ ପ୍ରଶଂସା କରାଯାଇଥିଲା । ୪୦ ବର୍ଷର ଏହି ଯାତ୍ରାରେ ନାବାର୍ଡକୁ ଶୁଭେଚ୍ଛା ଜଣାଇ ଆଗାମୀ ବର୍ଷରେ ଆହୁରି ଅନେକ ମାଇଲ୍ ଖୁଣ୍ଟ ହାସଲ କରିବାକୁ ଆଶା ପ୍ରକଟ କରାଯାଇଥିଲା । ହିଞ୍ଜିଳିକାଟୁ ବ୍ଲକ୍ର ପ୍ରଗତିଶୀଳ କୃଷକ ମାଷ୍ଟର ଡି. ନାରାୟଣଙ୍କୁ ମାନ୍ୟବର ରାଜ୍ୟପାଳଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସମ୍ମାନୀତ କରିଥିଲେ । କୃଷି କ୍ଷେତ୍ର ବିକାଶ କାର୍ଯ୍ୟକ୍ରମ ଅଧିନରେ ବ୍ୟବସାୟିକ ଭିତ୍ତିଭୂମିରେ ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପୁରସ୍କାର ନାବାର୍ଡ ପକ୍ଷରୁ ପ୍ରଦାନ କରାଯାଇଥିଲା । ଏହି ପୁରସ୍କାରଟି ଆଦର୍ଶ ଏଜେନ୍ସି ଏବଂ କୃଷକ ମାନଙ୍କୁ ସେମାନଙ୍କର ସାମଗ୍ରିକ ଆୟ ବୃଦ୍ଧିରେ ସାହାଯ୍ୟ କରେ । ଜିଲ୍ଲାସ୍ତରର ଏହି ଆଭାସି କାର୍ଯ୍ୟକ୍ରମରେ ନାବାର୍ଡ ଏଲ୍.ଡି.ଏମ୍. ଅଶୋକ କୁମାର ପଣ୍ଡା, ଡିଜିଏମ୍. ସୁଜିତ୍ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Advertisement