ଜୟପୁର,୧୦/୦୭(ଡ଼ି.ଏଚ/ବ୍ୟୁରୋ): ପୋଖରୀରେ ବୁଡିଗଲେ ୪ ଶିଶୁ । ଜଣଙ୍କୁ ବଞ୍ଚାଇବାକୁ ଯାଇ ଗୋଟିଏ ପରେ ଗୋଟିଏ ଜୀବନ ହାରିଲେ ଆଇ ୩ ଶିଶୁ । ଏପରି ହୃଦୟ ବିଦାରକ ଘଟଣା ଘଟିଛି ରାଜସ୍ଥାନର କରୋଲୀର ଦେବୀ ଥାନା ଅନ୍ତର୍ଗତ ମନୋହରପୁର ଅଞ୍ଚଳରେ । ସୂଚନା ଅନୁସାରେ, ଲବକେଶ, ଶିବକେଶ, ପୂଜା ଓ କାଜଲ ନାମକ ୪ ଶିଶୁ ଗାଁରେ ଥିବା ଏକ କ୍ରସର ନିକଟରୁ ସେମାନେ ଛେଳି ଚଲାଇ ନେଇଥିଲେ । କ୍ରସରରେ ବର୍ଷା ଋତୁ ପାଇଁ ପାଣି ଭରି ହୋଇ ରହିଥିଲା । ଏହି ସମୟରେ ଜଣେ ଶିଶୁ ଗାଧୋଇବା ପାଇଁ ପାଣି ଭିତରକୁ ଯାଇଥିଲେ । ହଠାତ ଗୋଡ ଖସିଯିବାରୁ ସେ ବୁଡିବାକୁ ଲାଗିଥିଲେ । ଏହା ଦେଖି ଅନ୍ୟ ୩ଜଣ ତାଙ୍କୁ ରକ୍ଷା କରିବାକୁ ପାଣିକୁ ଡେଇଁଥିଲେ । କିନ୍ତୁ ଆଉ ବାହାରି ପାରିନଥିଲେ । ସମସ୍ତେ ବୁଡି ପ୍ରାଣ ହରାଇଥିଲେ । ଘଟଣା ପରେ ଗାଁରେ ଶୋକର ଲହରୀ ଖେଳିଯାଇଛି । ଖବର ପାଇ ଏସଡିଏମ ଦେବେନ୍ଦ୍ର ପରମାର, ଡିଏସପି ମହାବୀର ସିଂଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଁଚିଥିଲେ । ପୋଲିସର କହିବାନୁସାରେ, ସମସ୍ତ ମୃତଦେହକୁ ଶନିବାର ସକାଳେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅଘଟଣ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି । ଅଶୋକ ଗେହଲଟ କହିଛନ୍ତି ଯେ, ପାଣିରେ ବୁଡି ୪ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ଯାହା ଅତି ହୃଦୟବିଦାରକ ଓ ଦୁର୍ଭାଗ୍ୟପୂର୍ଣ୍ଣ । ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ମଧ୍ୟ ଜଣାଇଛନ୍ତି ।


















