ଭୁବନେଶ୍ୱର,୨୭/୦୬(ଡ଼ି.ଏଚ/ବ୍ୟୁରୋ): ରାଜଧାନୀକୁ ପୁଣି ଫେରିଲା କଣ୍ଟେନମେଣ୍ଟ । ୟୁନିଟ୍ ୫ଏସଆଇବି ରେସିଡେନସିଆଲ କଲୋନି ଓ ୱାର୍ଡ ନଂ-୪ ସ୍ଥିତ ରୁଦ୍ରପୁର ବେହେରା ସାହି ଓ ଡେଲ୍ଟା ଛକ ନିକଟସ୍ଥ କେଶରୀ ପ୍ଲାଜାକୁ ବିଏମସି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି । ଏସଆଇବି କଲୋନିରେ ଥିବା ୫ଟି ଆବାସିକ ଆପାର୍ଟମେଣ୍ଟ କମ୍ପେକ୍ସର ୨୫ଟି କ୍ଵାର୍ଟର୍ସରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ବିଏମସି ପୁରା କଲୋନିକୁ ସିଲ୍ କରିଛି । ପୂରା ଅଞ୍ଚଳକୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ସମୟରେ ସମସ୍ତଙ୍କ କୋଭିଡ ପରୀକ୍ଷା କରାଯିବ। ଯବି ଆକ୍ରାନ୍ତଙ୍କ ସଂଖ୍ୟା ନବଢେ ତେବେ ୭ଦିନ କିମ୍ବା ୧୦ ଦିନ ପରେ କଟକଣା ଉଠାଇ ଦିଆଯିବ । ଏହି ସମୟରେ ଘରୁ ନବାହାରିବାକୁ କୁହାଯାଇଛି । ବିଏମସି ପକ୍ଷରୁ ସମସ୍ତ ପ୍ରକାରର ଆତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ବ୍ୟବସ୍ଥା ହୋଇଛି। ଏଥିପାଇଁ ସ୍ଥାନୀୟ ୱାର୍ଡ ଅଫିସରଙ୍କ ଯୋଗାଯୋଗ କରିବାକୁ କୁହାଯାଇଛି। ସେହିପରି ବେହେରା ସାହିରେ ଲଗାତାର ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ମୋଟ ୩୨ଟି ପରିବାର ରହୁଥିବା ବେଳେ ସମସ୍ତଙ୍କୁ ଘରୁ ନବାହାରିବାକୁ କୁହାଯାଇଛି ।















