ସାଲେପୁର,୧୯/୦୬(ଡ଼ି.ଏଚ/ବ୍ୟୁରୋ): ବିଳମ୍ବିତ ରାତିରେ ଦୋକାନରୁ ଚୋରି । ଖାଲି ଚୋରି ନୁହେଁ ଘର ବି ପୋଡି ଦେଇଛନ୍ତି ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଜପକୁଦ ଫାଣ୍ଡି କେନ୍ଦୁମୂଳ ବଜାରରେ । ସୂଚନାଯୋଗ୍ୟ ଯେ, କେନ୍ଦୁମୂଳ ବଜାରରେ ଥିବା ଜଗବନ୍ଧୁ ବେହେରାଙ୍କ ତେଜରାତି ଓ ଲୁଗା ଦୋକାନରୁ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବାଉଁଶ ସାହାଯ୍ୟରେ ସ୍କାଇଲାଟ ଭାଙ୍ଗି ଦୋକାନ ଭିତରେ ପସିଥିଲେ । ବିଭିନ୍ନ ସାମଗ୍ରୀ ଓ ଟଙ୍କା ଲୁଟ୍ କରିବା ପରେ ଦୁଇଟି ଦୋକାନକୁ ନିଆଁ ଲଗାଇ ପୋଡି ଦେଇଥିବା ଜପକୁଦ ଫାଣ୍ଡିରେ ଅଭିଯୋଗ ହୋଇଛି ।

ପୋଲିସ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି । ନିକଟରେ ପୋଲିସ ଫାଣ୍ଡି ଥିଲେ ମଧ୍ୟ ପୋଲିସର ପାଟ୍ରୋଲିଂ ଅଭାବରୁ ଦୁର୍ବୃତ୍ତମାନେ ଏଭଳି ଅଘଟଣ ଘଟାଇବାକୁ ସାହାସ କରୁଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସ୍ଥାନୀୟଲୋକ ଜଣକୁ ଧରି ଜପକୁଦ ଫାଣ୍ଡିର ଜିମା ଦେଇଛନ୍ତି ।


















