ପାଟଣା,୧୯/୦୬(ଡ଼ି.ଏଚ/ବ୍ୟୁରୋ): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପଡିଆପଶି ଛକରେ ଥିବା ଏକ ଦୋକାନର ଆଜବେଷ୍ଟସ ଭାଙ୍ଗି ଭିତରେ ପଶି ଚୋରି କରୁଥିବା ବେଳେ ଧରା ପଡିଗଲେ ୨ ଚୋର । ଦୁଇ ଚୋରଙ୍କୁ ଧରିଛନ୍ତି ଗ୍ରାମବାସୀ ଓ ପୋଲିସ । ତେବେ ଚୋରଙ୍କ ଛୁରା ମାଡ଼ରେ ତୁରୁମୁଙ୍ଗା ଥାନା ଏ.ଏସ.ଆଇ ବିଜୟ ଖଟୁଆ ଆହତ ହୋଇଛନ୍ତି। ଦୁଇ ଚୋର ହେଲେ ଦୁଆଘାଟ ଗ୍ରାମର ସ୍ମୃତି ରଞ୍ଜନ ଭୂୟାଁ ଓ ସରୋଜ କୁମାର ରାଉତ । ଉଭୟ ଯୋଡାରେ ଏକ କମ୍ପାନୀର ସିକୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ତେବେ ସେମାନେ ଶୁକ୍ରବାର ରାତିରେ ଦୋକାନ ଭିତରେ ପଶି କବାଟକୁ ଭିତର ପଟୁ ବନ୍ଦ କରି ଚୋରି କରୁଥିଲେ । ଏହି ସମୟରେ ଗ୍ରାମବାସୀ ଓ ପୋଲିସ ଦ୍ୱାରା ଧରା ପଡିଯାଇଥିଲେ । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ ବୋଲି ତୁରୁମୁଙ୍ଗା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
















