ବ୍ରହ୍ମପୁର,୩/୦୬(ସୁଦାମ ମହାରଣା): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜାମୁନି ଗ୍ରାମରେ ଗତ ଏପ୍ରିଲ ମାସ ୧୧ ତାରିଖ ରାତିରେ ଷ୍ଟେଟବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ରରୁ ୧.୯୭ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ବେଳେ ଉତ୍କଳ ଗ୍ରାମିଣ ବ୍ୟାଙ୍କ ଶାଖାରୁ ଲୁଟ୍ ଉଦ୍ୟମ ହୋଇଥିଲା ।ଏହି ଘଟଣାରେ ପୁରୁଷୋତ୍ତମପୁର ପୁଲିସ ଏକ ମାତ୍ର ଅଭିଯୁକ୍ତ ଜାମୁନି ଗ୍ରାମର ତପନ ସେଠିକୁ ବୁଧବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛି ।ତାଠାରୁ ନଗଦ ୬୧ ହଜାରଟଙ୍କା ଓ ଲୁହା ଶାବଳ ୫ଫୁଟ ୫ଇଞ୍ଚିର ଜବତ ହୋଇଥିବା ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି । ଉଭୟ ଡକାୟତି ପାଇଁ କିଭଳି ସେ ଯୋଜନା କରିଥିଲା ,ତପନ ପୋଲିସ ଆଗରେ କହିଥିଲା । ସୂଚନା ଅନୁସାରେ, ଗତ ଏପ୍ରିଲ ୧୧ତାରିଖ ବିଳମ୍ବିତ ରାତିରେ ତପନ ପ୍ରଥମେ ଜାମୁନି ୟୁଜିବି ଶାଖାର ସିସିଟିଭି ଭାଙ୍ଗି ବ୍ୟାଙ୍କ ଲକ୍ର ଭାଙ୍ଗୁଥିବା ବେଳେ ସାଇରନ ବାଜିବାରୁ ସେଠାରୁ ପଳାଇ ନିକଟରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଗ୍ରାହକ ସେବାକେନ୍ଦ୍ରର ଗ୍ରିଲ୍କୁ ଶାବଳରେ ଭାଙ୍ଗି ଆଲମାରୀ ଓ ଡ୍ରୟରୁ ୧.୯୭ ଲକ୍ଷ ଟଙ୍କା ଲୁଟ୍ କରି ସେହି ଦିନ ଠାରୁ ଗାଁ ଛାଡି ଦେଇଥିଲା । ଗ୍ରାହକ ସେବାକେନ୍ଦ୍ରର ମାଲିକ ଓ ଉତ୍କଳ ଗ୍ରାମିଣ ବ୍ୟାଙ୍କର ଶାଖାପରିଚାଳକଙ୍କ ଏତେଲାକୁ ଭିତ୍ତି କରି ଥାନା କେସ ନମ୍ବର ୧୪୬,୧୪୭ ରେ ମାମଲା ରୁଜ୍ଜୁ ହୋଇଥିଲା । ଥାନା ଅଧିକାରୀ ଶ୍ରୀ ମଲ୍ଲିକ, ସେକେଣ୍ଡ ଅଫିସର ସୁନିଲ କୁମାର ପ୍ରଧାନ ମାମଲା ତଦନ୍ତ କରି କମ ସମୟରେ ଅଭିଯୁକ୍ତ ଧରିବାରେ ସଫଳ ହୋଇଛନ୍ତି । ଅଭିଯୁକ୍ତ ତପନ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କଞ୍ଚୁରୁ ଗ୍ରାମରେ ଭଉଣୀ ଘରେ ରହୁଥିବା ଖବର ପାଇ ପୁଲିସ ଚଢ଼ାଉ କରି ତପନକୁ କାବୁ କରି କୋର୍ଟ ଚାଲାଣ କରିଛନ୍ତି ।


















