କୋଦଳା,୩୧/୦୫(ସୂର୍ଯ୍ୟ ନାରାୟଣ ବଡୁ): ସାରା ଦେଶରେ କରୋନା ସୃଷ୍ଟି କରିଛି ଏକ ଭୟଙ୍କର ସ୍ଥିତି l କିନ୍ତୁ କରୋନା ମହାମାରୀ ବିରୁଦ୍ଧରେ ଓଡିଶା ସଫଳ ସଂଗ୍ରାମ ଜାରି ରଖିଛି l ବର୍ତ୍ତମାନ ଏହାକୁ ଆହୁରି ଅଧିକ ସଂଗ୍ରାମ କରିବାକୁ ନେଇ ବିଧାୟକ /ବିଧାୟିକାଙ୍କୁ ମାସ୍କ ବଣ୍ଟନ ସହିତ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l ଏହାକୁ ନେଇ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଏନଏସି ଓ ବ୍ଲକର ବିଭିନ୍ନ ସ୍ଥାନରେ ମାସ୍କ ବଣ୍ଟନ ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି l ଏହି ଅବସରରେ ରବିବାର ବେଗୁନିଆପଡା ବ୍ଲକ ୪୬ ନଂ ଜୋନର ଆଠଗୋଟି ପଞ୍ଚାୟତରେ ମାସ୍କ ବଣ୍ଟନ ସହିତ ସଚେତନ କରିଥିଲେ l ପ୍ରଥମେ ବଡ଼ ଖଇରିଖମା ପଞ୍ଚାୟତରୁ କାର୍ଯ୍ୟକ୍ରମ ଆରମ୍ଭ କରି କୁମାରିପାରି, ଅଙ୍ଗାର ଗାଁ, ଷଣ୍ଢମୂଳ, ତାଳସର, ସାଙ୍କୁଡ଼ା, ବୁରୁଝୁରି ଓ ସୁମଣ୍ଡଳରେ କାର୍ଯ୍ୟକ୍ରମ ଶେଷ କରିଥିଲେ l ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ବେଗୁନିଆପଡାର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାସ୍କ ତିଆରି କରି ବଣ୍ଟନ କରାଯିବା ଫଳରେ ମହିଳାମାନେ ମଧ୍ୟ ରୋଜଗାରକ୍ଷମ ହୋଇପାରୁଛନ୍ତି l ଏହି ସମସ୍ତ କାର୍ଯ୍ୟକ୍ରମରେ ବିଜେଡି ବ୍ଲକ ସଭାପତି ବିଜୟ କୁମାର ଦୋରା ସମେତ ସମସ୍ତ ପଞ୍ଚାୟତ ପ୍ରତିନିଧି, ବିଜେଡି କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ l


















