Friday, November 6, 2026
ADVERTISEMENT
Home ଆଞ୍ଚଳିକ ଲୁହାପଥର ଗୁଣ୍ଡ ଚୋରାଚାଲାଣ: ୧୪ ଚକିଆ ଟ୍ରକ ଜବତ, ୪ ଗିରଫ

ଲୁହାପଥର ଗୁଣ୍ଡ ଚୋରାଚାଲାଣ: ୧୪ ଚକିଆ ଟ୍ରକ ଜବତ, ୪ ଗିରଫ

441
ADVERTISEMENT

ଦେବଗଡ,୨୯/୦୫(ଡ଼ି.ଏଚ/ବ୍ୟୁରୋ): କେତେକ ଅସାଧୁ ବ୍ୟବସାୟୀ ଜାତୀୟ ରାଜପଥ କଡରେ ଓ ଅନତି ଦୂରରେ ବେଆଇନ ଭାବେ ଲୁହାପଥର ଗୁଣ୍ଡ ଗଚ୍ଛିତ ରଖି ଚୋରାଚାଲାଣ କରୁଥିବା ଅଭିଯୋଗ ହେବାରୁ ୨୦୦୮ ମସିହାରେ ଖଣି ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉ ସମୟରେ ଗଚ୍ଛିତ ଥିବା ଲୁହାପଥର ଗୁଣ୍ଡ ବେଆଇନ ହୋଇଥିବା ଜଣାପଡିବାରୁ ୨୦୦୮ମସିହା ମାର୍ଚ୍ଚ ମାସରେ ଖଣି ବିଭାଗ ସେହି ଲୁହାପଥର ଗଦାଗୁଡିକୁ ଜବତ କରିଥିଲା। ସେହିଦିନ ଠାରୁ ଉକ୍ତ ଲୁହାପଥର ଉଠାଇବା ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ହେବାସହ ସେଥିରେ କେହି ହାତ ମାରୁନଥିଲେ। ମାତ୍ର ଗତ କିଛିଦିନ ହେଲା ବାରକୋଟ ଥାନା ଅନ୍ତର୍ଗତ ଖୁଲୁଣ୍ଡିକୁଦର ନିକଟସ୍ଥ ୨୩ ନମ୍ବର ଜାତୀୟ ରାଜପଥ ଅନତି ଦୂରରେ ଥିବା ଲୁହାପଥର ଗଦାରୁ ବେଆଇନ ଭାବେ ଲୁହାପଥର ଚାଲାଣ ହେଉଥିବା ଜଣାପଡିଛି। ଗତକାଲି ରାତ୍ରିରେ ଉକ୍ତ ଲୁହାପଥର ଗଦାରୁ ଏକ ୧୪ ଚକିଆ ଟ୍ରକ ଯୋଗେ ଚୋରାଚାଲାଣ ସମୟରେ ଟ୍ରକଟି କାଦୁଅରେ ଫସିଯିବାରୁ ଏକଥା ଲୋକଲୋଚନକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ରିରେ ଏକ ୧୪ଚକିଆ ଟ୍ରକ(ନଂ-ବିଆର୍‍-୦୬-ଜିଡି-୬୯୫୨) ଖୁଲୁଣ୍ଡିକୁଦର ଗ୍ରାମ ନିକଟସ୍ଥ ୨୩ ନମ୍ବର ଜାତୀୟ ରାଜପଥ ଅନତି ଦୂରରେ ଥିବା ଉପରୋକ୍ତ ଜବତ(୨୦୦୮ ମସିହାରେ ଖଣି ବିଭାଗ ଦ୍ୱାରା ଜବତ ହୋଇଥିବା )ଲୁହାପଥର ଗଦାରୁ ମ୍ୟାସିନ ସାହାଯ୍ୟରେ ଲୁହାପଥର ଗୁଣ୍ଡ ଲୋଡ୍‍ କରିଥିଲା । ଲୁହା ପଥର ଲୋଡ ହେବାପରେ ଟ୍ରକଟି ଜାତୀୟ ରାଜପଥକୁ ବାହାରିବାକୁ ଉଦ୍ୟମ କରୁଥିବା ବେଳେ କାଦୁଅରେ ଫଶିଯାଇଥିଲା। ଟ୍ରକର ଚାଳକ ଗ୍ରାମବାସୀଙ୍କ ସହାୟତାରେ ଟ୍ରକଟିକୁ ଆଗକୁ ବଢାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଏହା ସମ୍ଭବ ହୋଇନଥିଲା। ସୂଚନା ପାଇ ପୁଲିସ ସେଠାରେ ପହଂଚି ଡ୍ରାଇଭର ଓ ହେଲ୍ପରକୁ ପଚରା ଉଚରା କରିବାରୁ ସମୋନେ କୌଣସି ବୈଧ କାଗଜପତ୍ର ଦେଖାଇପାରିନଥିଲେ। ପରେ ସମ୍ବଲପୁର ସ୍ଥିତ ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଖଣି ମାଇନିଂ ଅଫିସର ଭିଭୂତି ଭୂଷଣ ବେହେରା ବାରକୋଟ ଥାନାକୁ ଆସି ଲିଖୀତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବାରକୋଟ ଥାନା ପୁଲିସ ଟ୍ରକର ଡ୍ରାଇଭର ଓ ହେଲ୍ପର ସମେତ ତାଙ୍କ ସହ ଥିବା ଅନ୍ୟ ୨ଜଣଙ୍କ ବିରୁଦ୍ଧରେ ଏକ ମାମଲା ଋଜୁ କରି ସେମାନଙ୍କୁ ଗିରଫ କରିଛି। ସେମାନଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ବାରକୋଟ ଥାନା ଅଧିକାରୀ କନକ ମାଝୀ ସୂଚନା ଦେଇଛନ୍ତି। ତେବେ ଉକ୍ତ ଟ୍ରକରେ ଲୁହାପଥର ଗୁଣ୍ଡ ଲୋଡ କରିଥିବା ମ୍ୟାସିନର ସନ୍ଧାନ ବର୍ତ୍ଥମାନ ସୁଦ୍ଧା ମିଳିପାରିନାହିଁ। ଗୁରୁତ୍ୱ ପୂର୍ଣ୍ଣ ବିଷୟ ଏହା ଯେ, ଦୀର୍ଘ ୧୨ ବର୍ଷ ହେଲା ଜବତ ଲୁହା ପଥର ଗଦାରେ କେହି ହାତ ମାରିନଥିବା ବେଳେ ଗତ କିଛିଦିନ ହେଲା ଲକଡାଉନର ସୁଯୋଗ ନେଇ ରାଜ୍ୟ ଓ ରାଜ୍ୟ ବାହାରର ମାଫିଆ ମାନେ ଅଧିକ ସକ୍ରୀୟ ହୋଇପଡିବା ସହ ଏଭଳି ଭାବେ ଲୁହାପଥର ଚୋରାଚାଲାଣ କରୁଥିବା କୁହାଯାଉଛି। ଏଠାରେ ସୂଚନା ଯୋଗ୍ୟ ଯେ, ସମ୍ପୃକ୍ତ ଖୁଲୁଣ୍ଡିକୁଦର ଲୁହାପଥର ଗଦାର ସ୍ଥିତିକୁ ଦେଖିଲେ ସେଥିରୁ ପ୍ରାୟ ୩୦ ପ୍ରତିଶତରୁ ଊର୍ଦ୍ଧ୍ବ ପରିମାଣର ଲୁହାପଥର ଗୁଣ୍ଡ ଚୋରୀ ହୋଇସାରିଥିବା ଭଳି ମନେ ହେବା ସହ ଏତେ ଲୁହା ପଥି ଚୋରୀ ହବା ପରେ ବି ପୁଲିସ କେମିତି କିଛି ଜାଣିପାରିଲା ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହ ଜିଲା ଆରକ୍ଷୀ ଅଧିକ୍ଷକ ଏ ଘଟଣା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାସହ ପୁଲିସ ପକ୍ଷରୁ ରାତ୍ରି କାଳୀନ ପ୍ୟାଟ୍ରୋଲିଂକୁ ଅଧିକ କଡାକଡି କରିବାକୁ ସାଧାରଣତେ ଦାବୀ ହେଉଛି ।

Advertisement