ବ୍ରହ୍ମପୁର,୨୮/୦୫(ସୁଦାମ ମହାରଣା): ପୁରୁଷୋତ୍ତମପୁର ଅଞ୍ଚଳର ବିଭିନ୍ନ ଚାଷ ଜମିରୁ ଜଳ ନିଷ୍କାସନ ନିମନ୍ତେ କାଠୁଆ ନାଳକୁ ବ୍ୟବହାର କରାଯାଉଛି । ବର୍ତ୍ତମାନ କାଠୁଆ ନାଳର ପୁନଃ ଉଦ୍ଧାର କାର୍ଯ୍ୟ ଅତି ନିମ୍ନମାନର କରାଯାଉଥିବା ନେଇ ସ୍ୱପ୍ନେଶ୍ୱର କୃଷକ ସଙ୍ଘ ପକ୍ଷରୁ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁଙ୍କୁ ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ, କାଠୁଆନାଳ ପୋତି ହୋଇଥିବା ଯୋଗୁଁ ଚାଷୀମାନେ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।ଶେଷରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟମନ୍ତ୍ରୀ କାଠୁଆ ନାଳ ପୁନଃ ଉଦ୍ଧାର ନିମନ୍ତେ ୨କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅନୁଦାନ ଡ୍ରେନେଜ ବିଭାଗକୁ ପ୍ରଦାନ କରିଥିଲେ ।

ପୁନଃ ଉଦ୍ଧାର କାର୍ଯ୍ୟ ଅତି ନିମ୍ନମାନର କରାଯାଉଥିବା ନେଇ ଚାଷୀମାନେ ଅଭିଯୋଗ କରିବାରୁ ଡ୍ରେନେଜ ବିଭାଗର ଯନ୍ତ୍ରୀ ମାନେ ଘଟଣା ସ୍ଥଳକୁ ଆସି କାର୍ଯ୍ୟ ଠିକ୍ ଭାବେ କରିବା ପାଇଁ ପ୍ରତିଶ୍ରୁତି ଦେଇ ଫେରିଥିଲେ । କିନ୍ତୁ ଏହି ପ୍ରତିଶ୍ରୁତି ପାଣିର ଗାର ଭଳି ନୀତିରେ କାର୍ଯ୍ୟ ଚାଲିଛି । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଏଭଳି କାର୍ଯ୍ୟ କୁ ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି ।


















