କୋଦଳା,୧୧/୦୫(ସୂର୍ଯ୍ୟ ନାରାୟଣ ବଡୁ): ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି l କୁମ୍ଭାରଗାଁ ପଞ୍ଚାୟତର ମାଲ ବେଲପଡା ଓ କୁମାରିପାରି ଠାରୁ ବହୁ କରୋନା ପଜେଟିଭ ମିଳିବା ପରେ ଉପଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୩୩୮୫ ପ୍ରକାରେ ସରପଞ୍ଚ ସତୀଶ କୁମାର ତାରିଣୀ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି l ଏଥିସହ କୁମ୍ଭାରଗାଁ ପଞ୍ଚାୟତ ଅନ୍ତର୍ଗତ କୋଳିଆ ଗ୍ରାମ,ବେଗୁନିଆଡିହ,କୁମ୍ଭାରଗାଁ ଠାରୁ ଅଙ୍ଗାରଗାଁ ପଞ୍ଚାୟତର ଡାଇକି ଛକ ପର୍ଯ୍ୟନ୍ତ ବଫର ଜୋନ ଘୋଷଣା କରାଯାଇଛି |ସଂକ୍ରମଣ ଅଧିକ ନ ବ୍ୟାପିବା ପାଇଁ ଏ ଅଂଚଳରେ କଣ୍ଟେନମେଣ୍ଟ ଜୋନ କରାଯାଇଛି |କଣ୍ଟେନମେଣ୍ଟ ଜୋନରେ ଅବସ୍ଥିତ ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ l ଲୋକମାନଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି l ମେଡିକାଲ କର୍ମଚାରୀ ଘରକୁ ଘର ବୁଲି ସ୍ୱାବ ସଂଗ୍ରହ କରିବା ସହ ସମସ୍ତଙ୍କ ସ୍କିନିଂ କରିବେ ଏବଂ କୋଦଳା ଅଗ୍ନିଶମ ବାହିନୀ ଉକ୍ତ ପଞ୍ଚାୟତରେ ହୋଇଥିବା କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନରେ ସାନିଟାଇଜ କରିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି l


















