କୋଦଳା,୧୮/୦୪(ସୂର୍ଯ୍ୟ ନାରାୟଣ ବୁଡୁ): ପ୍ରବାଦ ପୁରୁଷ, ଭାରତ ବର୍ଷର ମୁକ୍ତି ଆନ୍ଦୋଳନର ଅନନ୍ୟ ଜନ ନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୪ ତମ ଶ୍ରାଦ୍ଧ ଦିବସ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଜନତା ହାଇସ୍କୁଲ ପଡିଆ ପରିସରରେ ଆଜି ନିରଡାମ୍ବର ଭାବେ ପାଳିତ ହୋଇ ଯାଇଛି । ବିଜୁ ବାବୁଙ୍କ ତୈଳ ଚିତ୍ରରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ଓ ବିଜୁ ପ୍ରେମୀ ଏହି ମହାନ ଜନ ନାୟକଙ୍କ ଉଦ୍ଦେଶ୍ୟରେ ସମୂହ ଦୀପ ଦାନ କରିଥିଲେ । ଏହି ଅବସରରେ ବିଧାୟିକା କହିଥିଲେ ଯେ, ବିଜୁ ବାବୁ ଜଣେ ସାହସୀ, ସ୍ୱାଭିମାନି ତଥା ଯୁଗ ସ୍ରଷ୍ଟା ଓ ପ୍ରଚଣ୍ଡ ଦୂରଦୃଷ୍ଟି ସଂପନ ନେତା ଥିଲେ । ଆଧୁନିକ ଓଡ଼ିଶାର ନିର୍ମାଣରେ ତାଙ୍କର ଅବଦାନ ଅତୁଳନୀୟ । ଓଡିଶାକୁ ଦେଶର ଏକ ସମୃଦ୍ଧ ରାଜ୍ୟ କରିବା ପାଇଁ ତାଙ୍କର ଜୀବନବ୍ୟାପୀ ଅବଦାନ ରହିଥିଲା । ମୃତ୍ୟୁପରେ ବି ପ୍ରତି ଓଡ଼ିଆଙ୍କ ମାନସ ପଟରେ ସେ ଅମର ଏବଂ ଚିର ପୂଜନୀୟ ବୋଲି ବିଧାୟିକା କହିଥିଲେ। ଏଥି ସହିତ ଓଡ଼ିଶାର ପ୍ରତୀକ ବିଜୁ ବାବୁଙ୍କ ଆଦର୍ଶରେ ସର୍ବଦା ଅନୁପ୍ରାଣିତ ଏବଂ ତାଙ୍କ ପଥାନୁଗାମୀ ହୋଇ ମା ମାଟି ଓ ମଣିଷର ସେବା ପାଇଁ ସମସ୍ତେ ଉସର୍ଗିକୃତ ହେବା ପାଇଁ ବିଧାୟିକା ଆହ୍ୱାନ କରିଥିଲେ | କାର୍ଯ୍ୟକ୍ରମକୁ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଆଗେଇନେବା ହିଁ ପ୍ରବାଦ ପୁରୁଷଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ବିଧାୟିକା କହିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ମାଲ୍ୟର୍ପଣ ଠାରୁ ଆରମ୍ଭ କରି ଦୀପ ଦାନ ଓ ବକ୍ତବ୍ୟ ପ୍ରଦାନ ସମୟରେ ସମସ୍ତ ନେତା ସାମାଜିକ ଦୂରତା ରକ୍ଷା କରିଥିଲେ।


















