ଭୁବନେଶ୍ୱର,୧୫/୦୪(ଡ଼ି.ଏଚ/ବ୍ୟୁରୋ) : ମାର୍କୋଣା ରେଳ ଷ୍ଟେସନ ନିକଟରେ ଭୁବନେଶ୍ୱର-ହାୱଡା ଜନ ଶତାବ୍ଦୀ ଏକ୍ସପ୍ରେସ୍ର ଗୋଟିଏ ବଗିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଟ୍ରେନ୍ଟି ସୋର ଷ୍ଟେସନରେ ପାଖାପାଖି ଅଧଘଣ୍ଟା ଅଟକିଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି । ସୂଚନା ମୁତାବକ, ଟ୍ରେନ୍ଟି ମାର୍କୋଣା ଷ୍ଟେସନ୍ ପହଞ୍ଚିଥିଲା। ହଠାତ୍ ଡି-୬ ବଗି ନମ୍ବରରୁ ଧୂଆଁ ବାହାରୁଥିବା ଯାତ୍ରୀମାନେ ଦେଖିବାକୁ ପାଇଥିଲେ। ଯାତ୍ରୀମାନେ ରେଳବାଇ ପୁଲିସକୁ ଜଣାଇଥିଲେ। ସୋର ଷ୍ଟେସନ ମାଷ୍ଟରଙ୍କୁ ଖବର ଦିଆଯିବା ପରେ ଷ୍ଟେସନର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ପରେ ଟ୍ରେନ୍ଟି ହାୱଡା ଅଭିମୁଖେ ଯାଇଥିଲା। ତେବେ ଅଗ୍ନିକାଣ୍ଡ ଘଟିବାର ପ୍ରକୃତ କାରଣ ଏଯାଏ ଜଣାପଡ଼ିନାହିଁ ।

















