ଭୁବନେଶ୍ୱର,୧୪/୦୪(ଡ଼ି.ଏଚ/ବ୍ୟୁରୋ) : ବୁର୍ଲା ଭିମସାରରେ ହେବ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ । କୋଭିଡ୍ ସ୍ଥିତିର ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବାବଦରେ ସୂଚନା ଦେଇଛନ୍ତି । ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ବଢୁଥିବାବେଳେ ଆଜି ସମ୍ବଲପୁର ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଆଜି ସକାଳେ ମୁଖ୍ୟ ଶାସନ ସଚିବ ସମ୍ବଲପୁରରେ ପହଂଚି କରୋନା ସ୍ଥିତି ବାବଦରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ବୁର୍ଲା ଭିମସାରରେ ଥିବା କୋଭିଡ ହସ୍ପିଟାଲକୁ ବୁଲି ଦେଖିବା ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ବୁର୍ଲା ଭିମସାରରେ ୩୦୦ ଶଯ୍ୟା ବିଶିଷ୍ଟ ଆଉ ଏକ କୋଭିଡ ହସ୍ପିଟାଲ କରାଯିବ । ଏହି ୩୦୦ ଶଯ୍ୟାରୁ ୨୫୦ଟି ବେଡ଼ରେ ଅମ୍ଳଜାନ ସୁବିଧା ରହିବ । ଆଉ ୫୦ଟି ଆଇସିୟୁ ବେଡ଼ ରହିବ । ୧୦ ଦିନ ମଧ୍ୟରେ ଏହା ପ୍ରସ୍ତୁତ ହୋଇଯିବ ବୋଲି କହିଛନ୍ତି ।
ବର୍ତ୍ତମାନ ଯେଉଁ କୋଭିଡ ହସ୍ପିଟାଲ ଅଛି ସେଠାରେ ବର୍ତ୍ତମାନ ୨୦ଟି ଆଇସିୟୁ ବେଡ଼ ଥିବାବେଳେ ଆଉ ୩୦ଟି ଆଇସିୟୁ ବେଡ଼ ବୃଦ୍ଧି କରାଯିବ । ସେହିପରି ଏଠାରେ ୧୭୫ଟି ଶଯ୍ୟା ଥିବାବେଳେ ଚେଷ୍ଟା କରାଯାଉଛି ଯେ ବୁର୍ଲା ଭିମସାରରେ ୫୨୫ଟି ବେଡ଼ ରହିବ । ଏହା ବାଦ ପର୍ଯ୍ୟାପ୍ତ ମେଡ଼ିସିନ ଓ ଚିକିତ୍ସା ଉପକରଣ ମହଜୁଦ ଅଛି ।

















