ଭୁବନେଶ୍ୱର,୦୮/୦୪(ଡ଼ି.ଏଚ/ବ୍ୟୁରୋ): ଦୈନିକ କରୋନା ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା, ପରୀକ୍ଷାକୁ ନେଇ ଅଭିଭାବକଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ଚିନ୍ତାରେ। କ’ଣ ହେବ ପିଲାଙ୍କ ଭବିଷ୍ୟତ? ୨୦୨୦ ପରି ଏଥର ମଧ୍ୟ ସମାନ ସ୍ଥିତି ଉପୁଜିବ କି ? ଘୋଷଣା ହୋଇଥିବା ତାରିଖରେ ପରୀକ୍ଷା ହୋଇପାରିବ ନା ନାହିଁ? ଗତଥର ପରି ଏଥର ବିଳମ୍ବିତ ହେବ ନାହିଁ ତ? ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ଏଭଳି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତେବେ ପରୀକ୍ଷା ଘୁଞ୍ଚିବ କି ବାତିଲ୍ ହେବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ମେ’ ମାସ ହେବା ନେଇ ଏକପ୍ରକାର ସ୍ଥିର ହୋଇଛି । ସିବିଏସ୍ଇ ଅଧୀନରେ ଉଭୟ ଶ୍ରେଣୀର ପରୀକ୍ଷା ମେ’ ୪ରୁ ଆରମ୍ଭ ହେବାକୁ ଥିବାରୁ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ହୋଇଛି। ଯେଉଁ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ଦେଇପାରିବେ ନାହିଁ ସେମାନଙ୍କୁ ପରବର୍ତୀ ସମୟରେ ସୁଯୋଗ ମିଳିବ ବୋଲି କୁହାଯାଇଛି। ସିଆଇଏସ୍ସିଇର ଦ୍ବାଦଶ ଶ୍ରେଣୀ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେଉଥିବା ବେଳେ ମେ’ ୪ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। କୋଭିଡ୍-୧୯ ସଂକ୍ରମଣ ବଢ଼ୁଥିବାରୁ ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ଅଧିକ ପ୍ରାଥମିକତା ଦେବାକୁ ବୋର୍ଡଗୁଡ଼ିକ ପକ୍ଷରୁ ବିଦ୍ୟାଳୟକୁ ପରାମର୍ଶ ଦିଆଯାଇଛି। କୌଣସି ବି ପରିସ୍ଥିତିରେ ପରୀକ୍ଷାକୁ ଆସି ଛାତ୍ରଛାତ୍ରୀ ଯେପରି ଆକ୍ରାନ୍ତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଉଭୟ ବୋର୍ଡ ପକ୍ଷରୁ କୁହାଯାଇଛି।

















