ଭୁବନେଶ୍ୱର,୦୭/୦୪(ଡ଼ି.ଏଚ/ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ କରୋନା ତାର କାୟା ବିସ୍ତାର କରୁଛି। ବିଷେଶ କରି ୧୦ ଜିଲ୍ଲାରେ ମହାମାରୀ ଉଗ୍ର ରୂପ ଧାରଣ କରୁଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ୧୦ ଜିଲ୍ଲାରେ ଜାରି କରାଯାଇଥିଲା ନାଇଟ୍ କର୍ଫ୍ୟୁ। କଟକଣା ନିୟମ ନ ମାନିବାରୁ ବିଭିନ୍ନ ଜିଲ୍ଲାରେ ଚାଲିଛି ପୋଲିସ୍ର ସ୍ପେଶାଲ ଡ୍ରାଇଭ୍। ଆଉ ଏଥିରେ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। କୋଭିଡ କଟକଣା ଉଲ୍ଲଙ୍ଘନ ନେଇ ପୋଲିସର ସ୍ପେଶାଲ ଡ୍ରାଇଭ୍ ସମୟରେ ଗତ୨୪ ଘଣ୍ଟାରେ ୨୭ ଜଣଙ୍କୁ ଗିରଫ କରିଯାଇଛି। ୮୭୦ଟି ଗାଡ଼ି ପୋଲିସ ଜବତ କରିଛି। ଦିନକରେ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ୨୪ ଘଣ୍ଟାର ଯାଞ୍ଚ ତଥ୍ୟ ନେଇ ପୋଲିସ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ସଂକ୍ରମଣ ହ୍ରାସ କରିବାକୁ ଅଧିକ ପୋଲିସ ମୁତୟନ ପାଇଁ ଗତକାଲି ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖାଲି ସେତିକି ନୁହେଁ, ଆଜିଠୁ ସାରା ରାଜ୍ୟରେ ପୋଲିସ ମୁତୟନ କରି ସ୍ପେଶାଲ ଡ୍ରାଇଭ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସୁରକ୍ଷା ନିୟମ କଡ଼ାକଡ଼ି ପାଳନ ପାଇଁ ଅଧିକ ପୋଲିସ ମୁତୟନ ପାଇଁ କୁହାଯାଇଛି । ଏହି ସମୟରେ ମାସ୍କ, ସାମାଜିକ ଦୂରତ୍ୱ ନେଇ ସୂଚନା ଓ ପ୍ରସାରଣ ବିଭାଗ ସଚେତନତା କରିବ। ରାଜ୍ୟରେ ଲଗାତର ସଂକ୍ରମଣ ବଢିଚାଲିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ୫ ଶହ ଉପରେ ରହୁଛି। କରୋନାର ଦ୍ୱିତୀୟ ଲହର ନେଇ ସତର୍କ ରହିବାକୁ କୁହାଯାଇଛି।
















