ବ୍ରହ୍ମପୁର,୦୬/୦୪(ସୁଦାମ ମହାରଣା): ଗଞ୍ଜାମ ଜିଲ୍ଲାର ଇଷ୍ଟଦେବୀ ମା ତାରାତାରିଣୀଙ୍କ ଆଜି ହେଉଛି ଚୈତ୍ର ମଙ୍ଗଳବାର ଦ୍ବିତୀୟ ପାଳି । ମହାଲକ୍ଷ୍ମୀ ବେଶରେ ମାଆ ଆଜି ଦର୍ଶନ ଦେଇଛନ୍ତି । ମାଙ୍କୁ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । କିନ୍ତୁ ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ତାରାତାରିଣୀ ମନ୍ଦିରରେ ମୁଣ୍ଡନ କାର୍ଯ୍ୟକ୍ରମ ହେବନାହିଁ । ମୁଣ୍ଡନ ବନ୍ଦକୁ ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ଦେଖାଦେଇଛି । ମା ତାରାତାରିଣୀଙ୍କ ନିକଟରେ ଶ୍ରଦ୍ଧାଳୁ ମାନେ ସେମାନଙ୍କର ସନ୍ତାନଙ୍କର ପ୍ରଥମ ମୁଣ୍ଡନ କରିବାର ପରମ୍ପରା କେଉଁ ଆଦିମ କାଳରୁ ରହିଆସିଅଛି । ଚଳିତ ବର୍ଷ କରୋନା ସକ୍ରମଣର ଆଶଙ୍କା କରି ଜିଲ୍ଲା ପ୍ରଶାସନ ମୁଣ୍ଡନ ବନ୍ଦ କରିଦେଇଛନ୍ତି ।କେବଳ ଭକ୍ତ ମାଙ୍କୁ ଦର୍ଶନ କରିବେ । ପାହାଚ ରାସ୍ତା ବନ୍ଦ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ନିୟୋଜିତ ହୋଇଥିବା ବସ୍ ଯୋଗେ ଶ୍ରଦ୍ଧାଳୁ ହିଲ୍ ଟପକୁ ଯାଇ ମାଙ୍କ ଦର୍ଶନ କରିଥିଲେ ।
ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଛି ।


















