Monday, September 7, 2026
ADVERTISEMENT
Home ରାଜ୍ୟ ହେଲ୍‌ମେଟ୍‌ ପାଇଁ ଗର୍ଭବତୀଙ୍କୁ ଥାନାକୁ ନେବା ଘଟଣା : ଜାତୀୟ ମାନବାଧିକାର କମିସନରେ ମାମଲା

ହେଲ୍‌ମେଟ୍‌ ପାଇଁ ଗର୍ଭବତୀଙ୍କୁ ଥାନାକୁ ନେବା ଘଟଣା : ଜାତୀୟ ମାନବାଧିକାର କମିସନରେ ମାମଲା

524
ADVERTISEMENT

ଭୁବନେଶ୍ୱର,୦୪/୦୪(ଡ଼ି.ଏଚ/ବ୍ୟୁରୋ): ବାଇକ୍ ପଛରେ ହେଲ୍‌ମେଟ୍‌ ପିନ୍ଧି ବସି ନଥିବାରୁ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଓଆଇସି ରୀନା ବକ୍ସଲା ଜଣେ ୮ ମାସର ଗର୍ଭବତୀଙ୍କୁ ତିନି କିଲୋମିଟର ଚଲାଇବା ଘଟଣା ଜାତୀୟ ମାନବାଧିକାର କମସିନ(ଏନ୍‌ଏଚ୍‌ଆରସି)ଙ୍କ ନିକଟକୁ ଯାଇଛି। ସମ୍ପୃକ୍ତ ଓଆଇସିଙ୍କୁ ଚାକିରିରୁ ବହିଷ୍କାର ଏବଂ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇଥିବା ପତିପତ୍ନୀଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଆଦେଶ ଦେବାକୁ ପ୍ରାର୍ଥନା କରାଯାଇଛି। ଏହି କ୍ଷତିପୂରଣ ଟଙ୍କା ସଂପୃକ୍ତ ପୁଲିସ ଅଧିକାରୀଙ୍କଠାରୁ ଆଦାୟ କରିବାକୁ ଅନୁରୋଧ କରିଛନ୍ତି ମାନବାଧିକାର କର୍ମୀ ଜୟନ୍ତ ଦାସ। ଏନ୍‌ଏଚ୍‌ଆରସି ଆବେଦନ ଗ୍ରହଣ କରିବା ସହ ମାମଲା ରୁଜୁ କରି ଶୁଣାଣି ଆରମ୍ଭ କରିଛନ୍ତି। ନୋଟ ପଞ୍ଚାୟତର ବିକ୍ରମ ବିରୁଲି ତାଙ୍କ ୮ ମାସର ଗର୍ଭବତୀ ପତ୍ନୀଙ୍କୁ ମୋଟର ସାଇକେଲ ଯୋଗେ ଚେକ୍‌ଅପ୍‌ ପାଇଁ ଉଦଳା ହସ୍‌ପିଟାଲ ନେଉଥିଲେ। ବିକ୍ରମ ମାସ୍କ ଓ ହେଲମେଟ୍ ପିନ୍ଧିଥିଲେ କିନ୍ତୁ ପତ୍ନୀ ହେଲମେଟ୍ ପିନ୍ଧି ନ ଥିଲେ। ଚେକିଂ ବେଳେ ଓଆଇସି ରୀନା ବକ୍ସଲା ସେମାନଙ୍କୁ ଅଟକାଇ ଚାଲାଣ କାଟିଥିଲେ। ପାଖରେ ଟଙ୍କା ନଥିବାରୁ ଅନଲାଇନ୍‌ରେ ପେମେଣ୍ଟ କରିବେ ବୋଲି ବିକ୍ରମ କହିଥିଲେ ମଧ୍ୟ ଓଆଇସି ଉଭୟଙ୍କୁ ୩ କିମି ଚଲାଇ ଚଲାଇ ଥାନାକୁ ନେଇଥିଲେ। ଏ ସମ୍ପର୍କରେ ପତିପତ୍ନୀ ଏସଡିପିଓଙ୍କୁ ଲିଖିତ ଭାବେ ଜଣାଇବା ପରେ ମୟୂରଭଞ୍ଜ ଏସ୍‌ପି ଓଆଇସି ରୀନା ବକ୍ସଲାଙ୍କୁ ନିଲମ୍ବିତ କରିଥିଲେ। ତେବେ ଶ୍ରୀ ଦାସଙ୍କ ଅଭିଯୋଗ ମୁତାବକ, ମୋ ସରକାର ବ୍ୟବସ୍ଥାରେ ପୁଲିସ କିଭଳି ଲୋକାଭିମୁଖୀ ହେବ ସରକାର ଚିନ୍ତା କରୁଥିବା ବେଳେ ଏଭଳି ଅଧିକାରୀଙ୍କ ଯୋଗୁ ବ୍ୟବସ୍ଥା କଳଙ୍କିତ ହୋଇଛି। ତେଣୁ ଅନୁପଯୁକ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଚାକିରିରୁ ଅବ୍ୟାହତି ଦିଆଯାଉଥିବା ବ୍ୟବସ୍ଥାରେ ଏହି ଅଧିକାରୀଙ୍କୁ ମଧ୍ୟ ଅବସର ଦେବାକୁ ସେ ସରକାରଙ୍କ ନିକଟରେ ଦାବି ମଧ୍ୟ କରିଛନ୍ତି।

Advertisement