ଗଜପତି ଜିଲ୍ଲା ରା.ଉଦୟଗିରି ଉପ-କାରାଗାରରୁ ୨ଜଣ କଏଦୀ ଫେରାର୍

202
ADVERTISEMENT

ଗଜପତି,୨୭।୦୨(ଡ଼ି.ଏଚ/ବ୍ୟୁରୋ): ଆଜି ସକାଳ ୯ଟା ବ‌େଳେ ଗଜପତି ଜିଲ୍ଲା ରା.ଉଦୟଗିରି ଉପ-କାରାଗାରରୁ ୨ଜଣ କଏଦୀ ଫେରାର୍ ହୋଇ ଯାଇଥିଲେ। ପୁଲିସ ଓ ଜେଲ୍‌ କର୍ତ୍ତୃପକ୍ଷ ବ୍ୟାପକ ତଲାସୀ ଚଳାଇ ଜଣକୁ ନିକଟସ୍ଥ ପାହାଡ଼ରେ ମାଡ଼ି ବସି ଧରିଥିବା ବେଳେ ଆଉ ଜଣକର ପତ୍ତା ମିଳି ନଥିବା ଜଣାପଡ଼ିଛି । ଆଜି ସକାଳ ଜଳଖିଆ ପରେ ଦୁଇ ଜଣ କଏଦୀ, ପୁରୀ ଜିଲ୍ଲା ବ୍ରହ୍ମଗିରିର ସରୋଜ କୁମାର ଦେ ଓ ଗୁଲୁବାର କରୁଣା ଗମାଙ୍ଗ ପାଇଖାନା ପଟ ଥିବା କାନ୍ଥ ଡେଇଁ ଦୌଡ଼ିଥିଲେ। ଏତିକିବେଳେ ଏସ୍‌ଡିପିଓଙ୍କ କାର୍ଯ୍ୟଳୟର ସେଣ୍ଟ୍ରି ଏହା ଦେଖିପାରି ଜେଲର୍‌ଙ୍କୁ ଖବର ଦେଇଥିଲେ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ରା.ଉଦୟଗିରି ପୁଲିସ୍ ସହାୟତାରେ ଜେଲ୍ କର୍ମଚାରୀମାନେ ସରୋଜକୁ ନିକଟସ୍ଥ ତୁମନ ପାହାଡ଼ରୁ ଧରିବାକୁ ସକ୍ଷମ ହୋଇଥିଲେ। ହେଲେ ଚମ୍ପଟ୍‌ ମାରିଥିବା କରୁଣାକୁ ନପାଇ ରିପୋର୍ଟ ଲେଖାଯିବା ବେଳକୁ ସନ୍ଧାନ ଜାରି ରହିଛି। ଉଭୟେ ଗଞ୍ଜେଇ ଚାଲାଣ ମାମଲାରେ ୨୦୨୦ ଅଗଷ୍ଟ ୨୧ରେ ଧରାପଡ଼ି ପାରଳାଖେମୁଣ୍ତି ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ଥିଲେ । ତେବେ, କରୋନା କଟକଣା ଯୋଗୁ ସେମାନଙ୍କୁ ଚଳିତ ବର୍ଷ ଜାନୁଆରି ୧୭ ତାରିଖରେ ରା.ଉଦୟଗିରି ଉପ-କାରାଗାରକୁ ସ୍ଥାନାନ୍ତର କରା ଯାଇଥିଲା। ଆଜି ସୁଯୋଗ ଉଣ୍ଡି ସେମାନେ କାନ୍ଥ ଡେଇଁ ଦୌଡ଼ି ଖସି ଯାଇଥିଲେ। ଜେଲ୍ ସୁରକ୍ଷାରେ ଢିଲା ନେଇ ଜେଲର୍‌ କେଦାରନାଥ ବେହେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାରେ ଢିଲା ନାହିଁ। ସବୁଦିନ ଭଳି ସୁରକ୍ଷା କର୍ମଚାରୀ ଯେମିତି ଡ୍ୟୁଟି କରୁଥିଲେ ଆଜି ବି ସେମିତି କରୁଥିଲେ। ଅନ୍ୟ ଜଣକୁ ମଧ୍ୟ ଯଥାଶୀଘ୍ର ଧରାଯିବ ବୋଲି କହିଛନ୍ତି।

Advertisement