ଭୁବନେଶ୍ୱର ,୨୨/୦୨/୨୧(ଡ଼ି.ଏଚ/ବ୍ୟୁରୋ): ବିଧାନସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥର ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପେପର୍ ଲେସ୍ ବଜେଟ୍ ଉପସ୍ଥାପନ ହେଉଛି। ଗତବର୍ଷ ଅପେକ୍ଷା ଏବର୍ଷ ୧୩ ପ୍ରତିଶତ ବଜେଟ୍ ପରିମାଣ ବଢ଼ିଛି । ଚଳିତ ଥର ବଜେଟ୍ରେ କାଳିଆ ଯୋଜନା ପାଇଁ ୧୮୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବିହନ ପାଇଁ ଶହେ ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି ବି ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ। ସେହିପରି ଉଦ୍ୟାନ କୃଷି ବିକାଶ ପାଇଁ ୧୩୨ କୋଟି ବ୍ୟୟବରାଦ ହୋଇଥିବା ବେଳେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟି ବ୍ୟୟବରାଦ କରାଯାଇଛି। ଋକଳାହାଣ୍ଡି ଏବଂ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଜଳସେଚନ ପାଇଁ ମୋଟ ୨୨୫୮ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ ୭୧୦ କୋଟି ବ୍ୟୟବରାଦ, ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦ କୋଟି ବ୍ୟୟବରାଦ ଓ ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ । ସେହିଭଳି ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି ବ୍ୟୟବରାଦ ହୋଇଛି। ବିପର୍ଯ୍ୟୟରେ ତ୍ୱରିତ କ୍ଷତିପୂରଣ ପାଇଁ ୫୬୦ କୋଟି ବ୍ୟୟବରାଦ ହୋଇଛି। ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୪୧୫ କୋଟି ବ୍ୟୟବରାଦ ହୋଇଛି । ସେହିପରି ଓମ୍ବାଡସି ଓ ଡିଏମ୍ଏଫରୁ କୃଷି କ୍ଷେତ୍ରରେ ୪୪୭ କୋଟି ବିନିଯୋଗ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ମନରେଗାରୁ ୧୯୬୬ କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ ପାଇଁ ଯୋଜନା ହୋଇଛି । ୨୦୨୧-୨୨ରେ କୃଷି କ୍ଷେତ୍ରରେ ପ୍ରାୟ ୨୦ ହଜାର କୋଟି ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ । ଚଳିତ ବର୍ଷ ଋଣ ଭାର GSDPର ୨୦.୯% ହେବା ଆକଳନ କରାଯାଇଛି। କୋଭିଡ୍ ସତ୍ତ୍ୱେ ଚଳିତ ବର୍ଷ ରାଜସ୍ୱ ଆୟ ୧୦% ବୃଦ୍ଧି ଆକଳନ କରାଯାଇଛି ।


















