ପୋଲିସ ଏନ୍‌କାଉଣ୍ଟର: ସୁପାରୀ କିଲର ମେହେତାବ ଗୁରୁତର,

226
ADVERTISEMENT

କେନ୍ଦ୍ରାପଡ଼ା ,୬/୮ଏଜେନସି : କେନ୍ଦ୍ରାପଡ଼ା ସଦର ପୋଲିସ ଓ ଜିଲା ପୋଲିସ ସ୍କ୍ବାଡ୍‌ ପକ୍ଷରୁ ଗଣ୍ଡାଖିଆ ରାସ୍ତାର ଏରା ଠାରେ ସୋମବାର ବିଳମ୍ବିତ ରାତିରେ ଏନ୍‌କାଉଣ୍ଟର କରାଯାଇଛି । ଏଥିରେ ଟାଉନ ଥାନା ଅନ୍ତର୍ଗତ ଜଇପୁରା ଗ୍ରାମର ସେକ୍‌ ମେହେତାବ ଗୁରୁତର ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କଠାରୁ ପୋଲିସ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ୯ ହଜାର ଟଙ୍କା, ୨ ମୋବାଇଲ ଫୋନ୍‌ ଓ ଗୋଟିଏ ବାଇକ ଜବତ କରିଛି । ଦୀର୍ଘଦିନ ଧରି ମେହେତାବ ଫେରାର୍‌ ଥିବା ବେଳେ ସୋମବାର କେନ୍ଦ୍ରାପଡ଼ାକୁ ଆସୁଥିବା କୌଣସି ସୂତ୍ରରୁ ଖବର ପାଇ କେନ୍ଦ୍ରାପଡ଼ା ସଦର ପୋଲିସ ଓ ଜିଲା ପୋଲିସ ସ୍କ୍ବାଡ୍‌ ମିଳିତ ଚଢ଼ାଉ କରିଥିଲେ । ମେହେତାବ ଓ ତାଙ୍କର ଜଣେ ସହଯୋଗୀ ପୋଲିସ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରୁଥବା ବେଳେ ପୋଲିସ ପାଲଟା ଗୁଳି ଚଳାଇଥିଲା । ଏଥିରେ ମେହେତାବଙ୍କ ୨ ଆଣ୍ଠୁରେ ଗୁଳି ବାଜିବା ପରେ ତାଙ୍କୁ ପୋଲିସ କାବୁ କରିଥିଲା । ତେବେ ତାଙ୍କ ସହଯୋଗୀ ଫେରାର୍‌ ହୋଇଯାଇ ଥିଲେ । ସୁପାରି ନେଇ ହତ୍ୟା, ଡକାୟତି, ରାହାଜାନି, ଲୁଟ୍‌, ଦାଦାବଟି ଆଦାୟ ଆଦି ଘଟଣାରେ ମେହେତାବଙ୍କ ସମ୍ପୃକ୍ତି ଥିବା ବେଳେ କେନ୍ଦ୍ରାପଡ଼ାରେ ଘଟିଥିବା ବାବୁଲି ମହାରଣା ଗୁଳିକାଣ୍ଡ ଘଟଣାର ସେ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ତେବେ କେନ୍ଦ୍ରାପଡ଼ା ସ୍ପେଶାଲ ସ୍କ୍ବାଡ୍‌ ଉପରକୁ ଗୁଳିମାଡ ଓ ବାଲେଶ୍ୱର ପୋଲିସ ଉପରକୁ ବୋମାମାଡ଼ କରିଥିବା ନେଇ ମେହେତାବଙ୍କ ନାମରେ ଏକାଧିକ ମାମଲା ରହିଛି । ତାଙ୍କ ନାମରେ କେନ୍ଦ୍ରାପଡ଼ା ସମେତ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତ୍‌ସିଂହପୁର ଜିଲାରେ ପ୍ରାୟ ୩୦ରୁ ଅଧିକ ମାମଲା ରହିଛି।

Advertisement