ଭୁବନେଶ୍ୱର,୧୮/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେନ୍ଦ୍ରରୁ ୩୯ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୨୪ ଜଣ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଗତ କିଛି ଦିନ ହେବ ରାଜ୍ୟରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଶୂନ ଥିବାବେଳେ ଗତ ୨୪ ଘଣ୍ଟାରେ ପୁଣି ଜଣଙ୍କର ମୃତ୍ୟୁ ଖବର ଆସିଛି। ମୃତକ ଜଣକ ମୟୂରଭଞ୍ଜ ଜିଲ୍ଲାର । ୫୦ ବର୍ଷ ବୟସ୍କ ଏହି ବ୍ୟକ୍ତି ଜଣକ ଡାଇବେଟିସ୍ ସହ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଥିଲେ। ଆଜି ସମସ୍ତ ରୋଗୀ ୧୯ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ୍ ପୁଲ୍ରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ରୋଗୀ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ଅଛନ୍ତି। ଏଠାରୁ ୧୦ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର, ଯାଜପୁର, ପୁରୀରୁ ୪ଜଣ ଲେଖାଏ, ବରଗଡରୁ ୭, ଭଦ୍ରକ, କେନ୍ଦୁଝରରୁ ୨, ବୌଦ୍ଧ, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ୍, ମୟୂରଭଞ୍ଜ, ରାୟଗଡ଼ା, ଦେବଗଡରୁ ଜଣେ ଲେଖାଏ, ଖୋର୍ଦ୍ଧା, ସମ୍ବଲପୁର, ଝାରସୁଗୁଡ଼ାରୁ ୬, ନୂଆପଡ଼ାରୁ ୩ ଜଣ ଲେଖାଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୩୬ ହଜାର ୪୬୦କୁ ବୃଦ୍ଧି ପାଇଛି। ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କେସ୍ ୭୦୬ ଥିବାବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୩୩ ହଜାର ୭୮୮।
















