ADVERTISEMENT
Home ପୁରୀ ଶ୍ରୀଜୀଉଙ୍କୁ ୨.୫ କୋଟି ଟଙ୍କାର ସ୍ବର୍ଣ୍ଣାଳଙ୍କାର ଦାନ

ଶ୍ରୀଜୀଉଙ୍କୁ ୨.୫ କୋଟି ଟଙ୍କାର ସ୍ବର୍ଣ୍ଣାଳଙ୍କାର ଦାନ

215
ADVERTISEMENT

ପୁରୀ ,୧୭/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ପବିତ୍ର ବସନ୍ତ ପଞ୍ଚମୀରେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରାଙ୍କୁ ୮ କେଜିର ସୁନା ଓ ରୁପା ଅଳଙ୍କାର ଦାନ କରିଛନ୍ତି ମୁମ୍ବାଇର ଜନୈକ ଭକ୍ତ। ଏହି ଅଳଙ୍କାର ଭିତରେ ୯୩ଟି ଶ୍ରୀମୁଖ ପଦ୍ମ, ୬ଟି ଝୋବା ଓ ୨ଟି ତଡ଼କି ରହିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨.୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ତେବେ ଏହି ଭକ୍ତ ଜଣକୁ କିଏ ? ତାଙ୍କ ନାମ ଶ୍ରୀମନ୍ଦିର ପ୍ରଶାସନ ଗୁପ୍ତ ରଖିଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଯେଉଁ ପେଟିରେ ଏହି ଗହଣା ଭର୍ତି କରି ଅଣାଯାଇଥିଲା, ସେଥିରେ ଲେଖାଥିଲା- ରିଲାଏନ୍ସ ଜୁଏଲାରୀ, ଜନପଥ ଭୁବନେଶ୍ୱର। ଅନ୍ୟପକ୍ଷରେ ଚର୍ଚ୍ଚା ହେଉଛି କି ଯେଉଁ ଭକ୍ତ ଶ୍ରୀମନ୍ଦିରର ଦ୍ବାରଗୁଡ଼ିକର ରୁପା ଛାଉଣୀ ଲାଗି ରୁପା ପ୍ରଦାନ କରିଛନ୍ତି ସେ ଏହି ସ୍ବର୍ଣ୍ଣାଳଙ୍କାର ପ୍ରଦାନ କରିଛନ୍ତି। ମାତ୍ର ଏ ନେଇ ସ୍ପଷ୍ଟ ସୂଚନା ଏଯାବତ୍ ମିଳିପାରି ନାହିଁ । ପୂର୍ବରୁ ମୁମ୍ବାଇର ଏହି ଦାତା ମହାପ୍ରଭୁଙ୍କୁ ସୁନା ଦାନସୂତ୍ରରେ ଦେବାକୁ ମନସ୍ଥ କରିଥିଲେ। ଆଲୋଚନା ପର୍ଯ୍ୟାଲୋଚନା ପରେ ଦାତାଙ୍କୁ ସୁନା ଅଳଙ୍କାର ଦେବାକୁ କୁହାଯାଇଥିଲା। ମାସେ ଧରି ସୁନା ଅଳଙ୍କାର ପ୍ରସ୍ତୁତି କାମ ଚାଲିଥିଲା। ଏହାଭିତରେ ପରିଚାଳନା କମିଟି ସଦସ୍ୟଙ୍କ ସମେତ ଅନ୍ୟ ବରିଷ୍ଠ ସେବାୟତମାନେ ଅଳଙ୍କାର କାମ ଦେଖି ଫେରିଥିଲେ। ଶେଷରେ ମୁମ୍ବାଇରେ ଏହି ସୁନା ଅଳଙ୍କାର ପ୍ରସ୍ତୁତ କରି ଗତକାଲି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ସୁବର୍ଣ୍ଣ ଅଳଙ୍କାର ମଧ୍ୟରେ ବଡ଼ଠାକୁର ବଳଭଦ୍ରଙ୍କ ୪୦ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା, ମା’ ସୁଭଦ୍ରାଙ୍କ ୨ଟି ତଡ଼କି ଓ ୨ଟି ଝୋବା ରହିଛି। ଏସବୁ ଅଳଙ୍କାରରେ ୪ କେଜି ୮୫୮ ଗ୍ରାମ ସୁନା ଓ ୩ କେଜି ୮୭୬ ଗ୍ରାମ ରୁପା ବ୍ୟବହାର କରାଯାଇଛି । ଗତକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଦାତାଙ୍କ ପ୍ରତିନିଧି ଭାବେ ଜନୈକ ବ୍ୟକ୍ତି ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କୁ ଭେଟି ଏହି ସୁନା ଅଳଙ୍କାର ଦାନ କରିଛନ୍ତି। ଏହି ଅବସରରେ ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର, ଅନନ୍ତ ତିଆଡ଼ି, ମାଧବ ପୂଜାପଣ୍ଡା ସାମନ୍ତ, ତଳୁଚ୍ଛ ନୀଳକଣ୍ଠ ମହାପାତ୍ରଙ୍କ ସମେତ ବରିଷ୍ଠ ପ୍ରାଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହାପୂର୍ବରୁ ଭୁବନେଶ୍ବରର ଭକ୍ତ ଶିବପ୍ରସାଦ ପଣ୍ଡା ମହାପ୍ରଭୁଙ୍କ ନୂତନ ପ୍ରଭା ତିଆରି ପାଇଁ ୨୧ କେଜି ରୁପା ଦାନ କରିଥିଲେ। ସେହିଭଳି ଭୁବନେଶ୍ବରର ଭକ୍ତ ପଦ୍ମଚରଣ ପାତ୍ର କିଛିଦିନ ତଳେ ସୁନାର ଚନ୍ଦ୍ର-ସୂର୍ଯ୍ୟ ଦାନ କରିଥିଲେ ।

Advertisement