ଭୁବନେଶ୍ବର ,୬/୮ଏଜେନସି : ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ। ପ୍ରଭାବରେ ୬ ତାରିଖଠାରୁ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ। ଅର୍ଧାଧିକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ତାହାକୁ ଦୃଷ୍ଟିରେ ରଖି ୧୮ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଗଜପତି, ଗଞ୍ଜାମ, ନୟାଗଡ଼, କନ୍ଧମାଳ, କଟକ, ନବରଙ୍ଗପୁର, ବଲାଙ୍ଗିର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ଜଗତ୍ସିଂହପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ତେବେ ମାଲକାନଗିରି, ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ୭ ତାରିଖରେ ମଧ୍ୟ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ଅତିପ୍ରବଳ ବର୍ଷା ଲାଗିରହିବ । ଲଘୁଚାପ ପ୍ରଭାବରେ ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗର ଅଶାନ୍ତ ରହିବ। ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବ। ସ୍ଥାନେ ସ୍ଥାନେ ପବନର ବେଗ ୬୦ କିମି ଛୁଇଁପାରେ। ତାହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି । ଏହି ସମୟ ମଧ୍ୟରେ ସେମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉତ୍ତର ବଙ୍ଗେପସାଗର ଓ ସଂଲଗ୍ନ ସ୍ଥଳ ଭାଗରେ ଆଜି ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଯାହାକି ଆସନ୍ତାକାଲି ସକାଳ ସୁଦ୍ଧା ଚିହ୍ନିତ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ୭ ତାରିଖ ଦିନ ଓଡ଼ିଶା ଉପରେ ରହି ପରବର୍ତୀ ସମୟରେ ପଶ୍ଚିମ ଦିଗରେ ଗତି କରିବ । ୭ ତାରିଖରେ ଓଡ଼ିଶା ଓ ୮ରେ ମଧ୍ୟପ୍ରଦେଶ ଉପରେ ଅବସ୍ଥାନ କରିବ । ଅନୁମାନ କରାଯାଉଛି ଯେ ଏଥିଯୋଗୁଁ ଓଡ଼ିଶାରେ ଦୁଇ ଦିନ ବର୍ଷା ହେବ । ଭୁବନେଶ୍ବର ସମେତ ଉପକୂଳ ଅଞ୍ଚଳରେ ୬ ଓ ୭ ତାରିଖ ଦିନ ମଧ୍ୟମ ଧରଣର ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ତେବେ ଲଘୁଚାପଟି ଦକ୍ଷିଣ ଆଡ଼କୁ ଢଳିଥିବାରୁ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶରେ ଅଧିକ ବର୍ଷା ହେବ । ପଶ୍ଚିମ ଓଡ଼ିଶାରେ ୬ ତାରିଖରେ ମଧ୍ୟମ ଧରଣର ବର୍ଷା ଓ ୭ ତାରିଖରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । କଳାହାଣ୍ଡି, ଗଜପତି ଓ ଅବିଭକ୍ତ କୋରାପୁଟର କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ । ବାଲେଶ୍ବର ସମେତ ଉତ୍ତର ଉପକୂଳରେ କମ୍ ବର୍ଷା ହେବାକୁ ଥିବା ବେଳେ ଦକ୍ଷିଣ ଉପକୂଳରେ ଅପେକ୍ଷାକୃତ ଅଧିକ ବର୍ଷା ହେବ । ୮ରୁ ୧୧ ତାରିଖ ପର୍ଯ୍ୟନ୍ତ କାଁ ଭାଁ ସ୍ବଳ୍ପ ବର୍ଷା ହେବ । ୧୧ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତୀ ଅଞ୍ଚଳରେ ସମୁଦାୟ ବର୍ଷା ୭୫ ମିମି ରହିପାରେ । ୧୨ ତାରିଖରେ ଆଉ ଏକ ଛୋଟ ଲଘୁଚାପ ହେବାର ସମ୍ଭାବନା ରହିଛି । ଏହାଦ୍ବାରା ଓଡ଼ିଶାରେ ସ୍ବଳ୍ପ ବର୍ଷା ହେବ। ଅଗଷ୍ଟ ୧୫ ସୁଦ୍ଧା ଚାଷୀଙ୍କ ରୁଆ ବେଉସା କାମ ସରିଯିବା କଥା । ଏଥର କମ୍ ବର୍ଷା ହେଲେ ମଧ୍ୟ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ପରାମର୍ଶ ନେଇ ରୁଆ ବେଉସା ସାରି ଦେବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି ।