ପାରଳାଖେମୁଣ୍ଡି,୧୩/୦୨/୨୧(ପ୍ରଭାତ କୁମାର ପାତ୍ର) : ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତିନିଧି ଦଳ ଗଙ୍ଗବାଡ ପଞ୍ଚାୟତ ଅଞ୍ଚଳ ଗସ୍ତ କରିଛନ୍ତି । ଏହି ସମୟରେ ଉକ୍ତ ଅଞ୍ଚଳରେ ନିର୍ବାଚନ ପରିଚାଳନା ପାଇଁ ଉପସ୍ଥିତ ରହିଥିଲେ ଆନ୍ଧ୍ର ପ୍ରଶାସନର ଅଧିକାରୀ । ବିରୋଧୀ ଦଳ ନେତାଙ୍କ ସହ ଆଲୋଚନା ବେଳେ ହୋଇଥିଲା ଯୁକ୍ତିତର୍କ, ତଥ୍ୟ ଉପସ୍ଥାପନ ନକରିପାରି ଛତ୍ରଭଙ୍ଗ ଦେଲେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ । ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ଆସନ୍ତା କାଲି ଆନ୍ଧ୍ରର ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଓଡିଶା ମଧ୍ୟରେ ଅନୁପ୍ରବେଶ କରି ଓଡିଶାର ମାଣିକପାଟଣା ଗାଁ ଲୋକଙ୍କୁ ଭୋଟଦାନ ପ୍ରକିୟାରେ ଅଂଶ ଗ୍ରହଣ କରିବା ପାଇଁ ମନାଉ ଥିବା ବେଳେ ରାଜ୍ୟ ବିଜେପିର ପ୍ରତିନିଧି ଦଳ ମାଣିକ ପାଟଣା ଗ୍ରାମରେ ପହଞ୍ଚି ଥିଲେ ,ଘଟଣା ସ୍ଥଳରେ ରାୟଗଡ ତହସିଲଦାର ମଧ୍ୟ ଉପସ୍ଥିତ ରହିଥିଲେ । ବିରୋଧୀ ଦଳ ଟିମ ବିଭିନ୍ନ ପ୍ରଶଙ୍ଗ ନେଇ ଆନ୍ଧ୍ର ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା ସମୟରେ ଆନ୍ଧ୍ର ତରଫରୁ ଯୁକ୍ତି ବାଢିବାରେ ବିଫଳ ହୋଇଥିଲେ ଆନ୍ଧ୍ର ଅଧିକାରୀ। ପରେ ଏହି ଟିମ, ଲୋକଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ସମସ୍ତ ତଥ୍ୟ ପଚାରି ବୁଝି ଥିଲେ, ଆନ୍ଧ୍ରର ଏଭଳି ଅନୁପ୍ରବେଶ ଏବଂ ଲୋକଙ୍କୁ ପ୍ରଲୋଭନ ଦେଖାଇ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରାଇବା ପ୍ରୟାସକୁ ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାନୀୟ ପ୍ରଶାସନର ସ୍ଥାଣୁତାକୁ ତୀବ୍ର ନିନ୍ଦା କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।















