ଭୁବନେଶ୍ୱର ,୧୦/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଆଇନ-୨୦୦୨ର ସଂଶୋଧନ କରାଯାଇଛି। ଏନେଇ ରାଜ୍ୟ କ୍ୟାବିନେଟରେ ମୋହର ବାଜିଛି । ରାଜ୍ୟର ଅନ୍ୟାନ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା ସହ ସମାନତା ଆଣିବା ନିମନ୍ତେ ବିପିୟୁଟି କୁଳପତିଙ୍କ କାର୍ଯ୍ୟକାଳ ୫ ବର୍ଷ ପରିବର୍ତ୍ତେ ଏଣିକି ୪ ବର୍ଷ କରାଯାଇଛି।
ସେହିପରି ଛାତ୍ରଛାତ୍ରୀ ବିଶୃଙ୍ଖଳା ନିୟନ୍ତ୍ରଣ ନିମନ୍ତେ କୁଳପତିଙ୍କ ଦ୍ୱାରା ଜଣେ ପ୍ରଫେସରଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ସଦସ୍ୟ ବିଶିଷ୍ଟ ଅନୁଶାସନ କମିଟି ଗଠନ ନିମନ୍ତେ ପ୍ରସ୍ତାବ ରହିଛି । ବିପିୟୁଟିର କୁଳସଚିବ ପଦବୀ ଓଡ଼ିଶା ପ୍ରଶାସନିକ ସେବାର ଯୁଗ୍ମ ଶାସନ ସଚିବ ପାହ୍ୟାର ଅଧିକାରୀଙ୍କ ଦ୍ୱାରା ପୂରଣ କରାଯିବ । ଏପଟେ ବିଶ୍ୱବିଦ୍ୟାଳୟର ବିତ୍ତ ଅଧିକାରୀ ପଦବୀ ଓଡ଼ିଶା ଅର୍ଥ ସେବାର ଯୁଗ୍ମ ଶାସନ ସଚିବ ପାହ୍ୟାର ଅଧିକାରୀଙ୍କ ଦ୍ୱାରା ପୂରଣ କରିବା ନିମନ୍ତେ ରହିଥିବା ପ୍ରସ୍ତାବ ଉପରେ ମୋହର ବାଜିଛି । ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ନିମନ୍ତେ କୁଳାଧିପତି କିମ୍ବା କୁଳପତି ଦ୍ୱାରା ଚୟନ କମିଟି ଗଠନ ସରକାରଙ୍କ ପୂର୍ବଅନୁମୋଦନ ସହ କରାଯିବାର ପ୍ରସ୍ତାବ ରହିଛି । ଏସବୁ ସହ କାଲି ୨୭ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଂଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସେହିପରି ଶିଳ୍ପ ବିଭାଗଠାରୁ ହସ୍ତଶିଳ୍ପକୁ ଅଲଗା କରି ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ ସହ ମିଶ୍ରଣ କରାଯିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ହସ୍ତଶିଳ୍ପ କ୍ଷେତ୍ର ନିମନ୍ତେ ୫୫୨ଟି ବିଭିନ୍ନ ପଦପଦବୀ ନିର୍ଦ୍ଦିଷ୍ଟ ଭାବେ ଚିହ୍ନଟ କରାଯାଇ ଏମଏସଏମଇ ବିଭାଗଠାରୁ ଅଲଗା କରାଯାଇଛି। ଏହି କର୍ମଚାରୀମାନେ ଉଭୟ ହସ୍ତଶିଳ୍ପ ଓ ଏମଏସଏମଇ ବିଭାଗ ପାଇଁ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କର ଚାକିରିର ନିୟନ୍ତ୍ରଣ ଏମଏସଏମଇ ବିଭାଗ ଅଧୀନରେ ରହିଥିଲା। ଏହି ଅସୁବିଧାକୁ ଦୂର କରିବା ପାଇଁ ହସ୍ତଶିଳ୍ପ ପାଇଁ ସ୍ୱତନ୍ତ୍ର କ୍ୟାଡ଼ର ଯଥା ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧ ଓ ଓଡ଼ିଶା ଅଧସ୍ତନ ହସ୍ତଶିଳ୍ପ ସେବା ନିୟମ-୨୦୨୧ ସୃଷ୍ଟି କରିବା ପ୍ରସ୍ତାବ ସରକାରଙ୍କ ବିଚାରଧୀନ ଥିଲା । ଏବେ ରାଜ୍ୟ ସରକାର ଏହି ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧ ଘୋଷଣା କରିଛନ୍ତି ।


















