ଭୁବନେଶ୍ୱର,୦୫/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ମେ ୩ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା। ୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖରେ ସରିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ମେ ୩ ରୁ ୧୨ ଯାଏଁ ସଂସ୍କୃତ ମଧ୍ୟମା ପରୀକ୍ଷା ହେବ ବୋଲି ଜଣାଯାଇଛି। ଏଥର ସମାନ ସମୟ ମଧ୍ୟରେ ଓଡ଼ିଶା ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ ବୋଲି ସୂଚନା ରହିଛି । ତେବେ ଏହା ପୂର୍ବରୁ ଚଳିତଥର ନିଜ ସ୍କୁଲ୍ରେ ମାଟ୍ରିକ୍ ପରୀକ୍ଷା ଛାତ୍ରଛାତ୍ରୀ ଦେବେ ବୋଲି ସରକାର ଘୋଷଣା କରିଥିଲେ । ଏହାସହ ଅନ୍ୟ ସ୍କୁଲ୍ର ଶିକ୍ଷକ ପରୀକ୍ଷା ନିରୀକ୍ଷକ ହେବେ ବୋଲି କୁହାଯାଇଥିଲା । କେବଳ ଏତିକି ନୁହେଁ ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ରହିବ ପରୀକ୍ଷା ଅବଧି । କରୋନା ଯୋଗୁ ଯେଭଳି ଛାତ୍ରଛାତ୍ରୀଙ୍କ କୌଣସି ଅସୁବିଧା ନହୁଏ ସେଥିପାଇଁ ଏଥର ନିଜ ସ୍କୁଲ୍ରେ ସମସ୍ତ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପୂରା ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ମାଟ୍ରିକ୍ ପରୀକ୍ଷା ଅନ୍ୟ ସ୍କୁଲରେ ଅନୁଷ୍ଠିତ ହୋଇଥାଏ। ତେବେ ଏଥର ପରୀକ୍ଷାର କାର୍ଯ୍ୟସୂଚୀ ସମୟ ଓ ସ୍ଥାନ ପରିବର୍ତ୍ତନ କରାଯାଇଛି। ଏଥର ସବୁ ପରୀକ୍ଷାର୍ଥୀ ନିଜ ସ୍କୁଲ୍ରେ ପରୀକ୍ଷା ଦେବେ । କରୋନା ଯୋଗୁ ରହିବା ଓ ଯାତାୟତରେ ଅଭିଭାବକ,ଛାତ୍ରଛାତ୍ରୀ ଅସୁବିଧାର ସାମ୍ନା କରିବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

















