ନୂଆଦିଲ୍ଲୀ,୨୬/୦୧/୨୧ (ଡ଼ି.ଏଚ/ବ୍ୟୁରୋ) : କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକମାନଙ୍କର ଟ୍ରାକ୍ଟର ରାଲିକୁ କେନ୍ଦ୍ରକରି ଆଜି ରାଜଧାନୀ ଦିଲ୍ଲୀରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଆନ୍ଦୋଳନରତ କୃଷକ ସେମାନଙ୍କ ପ୍ରଦର୍ଶନ ଲାଗି ପୁଲିସ ପ୍ରଶାସନ ପକ୍ଷରୁ ନିର୍ଦ୍ଦିଷ୍ଟ କରାଯାଇଥିବା ଅଞ୍ଚଳ ଅତିକ୍ରମ କରି ଦିଲ୍ଲୀ ଭିତରକୁ ପଶି ଆସିଥିଲେ। ଏହାପରେ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍କୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଛି। ହଜାର ହଜାର ସଂଖ୍ୟାରେ ଆନ୍ଦୋଳନରତ କୃଷକ ଆଜି ଅପରାହ୍ନରେ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା (ରେଡ ଫୋର୍ଟ) କମ୍ପ୍ଲେକ୍ସରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍ ସେମାନଙ୍କୁ ଅଟକାଇବା ପାଇଁ ଯିବାରୁ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ଲାଲକିଲ୍ଲା ଦୁର୍ଗର ଏକ ଫ୍ଲାଗପୋଲ ଉପରକୁ ଆନ୍ଦୋଳନକାରୀ କୃଷକମାନେ ଚଢ଼ି ଯାଇଥିବା ମଧ୍ୟ ଦେଖିବା ପାଇଁ ମିଳିଥିଲା। ଯେଉଁଠାରୁ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରିଥାଆନ୍ତି ସେଇ ସ୍ଥାନକୁ ଚଢ଼ି ଯାଇଥିଲେ ଚାଷୀ । ଏହି ଘଟଣାରେ ପୁଲିସ୍ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ସେଠାରୁ ହଟାଇଥିଲା। ଏହା ପୂର୍ବରୁ, ଆଜି ସକାଳେ କୃଷକମାନେ ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀରେ ପ୍ରବେଶ କରିଥିଲେ। ଆନ୍ଦୋଳନକାରୀ ସେମାନଙ୍କ ଲାଗି ଉଦ୍ଦିଷ୍ଟ ମାର୍ଗରେ ଟ୍ରାକ୍ଟର ରାଲିରେ ଆସି ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀ ସହର ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ପୁଲିସ୍ ସେମାନଙ୍କୁ ଅଟକାଇବାକୁ ଗଲାବେଳେ ଏଇଠାରୁ ହିଁ ପୁଲିସ୍ ସହ ସେମାନଙ୍କର ସଂଘର୍ଷ ଆରମ୍ଭ ହୋଇଥିଲା। ବିଭିନ୍ନ ଦିଗରୁ ଆସି ସେମାନେ ପୁଲିସ ସହିତ ସଂଘର୍ଷ ଆରମ୍ଭ କରିବା ସହ ପୁଲିସ୍ ଉପରକୁ ପଥର ଫିଙ୍ଗିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ । ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଆଜି ଦେଶର ୭୨ତମ ଗଣତନ୍ତ୍ର ଦିବସ ପାଳନ କରାଯାଉଥିବାରୁ ଦିଲ୍ଲୀ ରାଜପଥରେ ଅନୁଷ୍ଠିତ ବାର୍ଷିକ ପରେଡ ପରେ କୃଷକମାନଙ୍କୁ ନିର୍ଦ୍ଦିଷ୍ଟ ମାର୍ଗରେ ଟ୍ରାକ୍ଟର ରାଲି କରିବାକୁ ଅନୁମତି ଦିଆଯାଇଥିଲା। ହେଲେ ପରେଡ ଆରମ୍ଭ ହେବା ପୂର୍ବରୁ ହଜାର ହଜାର ସଂଖ୍ୟାରେ କୃଷକ ପାଦରେ ଚାଲି ଚାଲି ଆସି ଜାତୀୟ ରାଜଧାନୀ ମଧ୍ୟକୁ ପ୍ରବେଶ କରି ଯାଇଥିଲେ। ସକାଳ ୮ଟା ପୂର୍ବରୁ ଦିଲ୍ଲୀ ସୀମାନ୍ତରେ ପ୍ରବଳ ଜନସମାଗମ ହୋଇଯାଇଥିଲା। ଏପରିକି କେନ୍ଦ୍ରୀୟ ଦିଲ୍ଲୀର ଆଇଟିଓରେ ଏକ ପୁଲିସ ବସ୍କୁ ମଧ୍ୟ ଆନ୍ଦୋଳନକାରୀ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି।



















