Thursday, November 5, 2026
ADVERTISEMENT
Home ରାଜ୍ୟ ‘ମୋ ସ୍କୁଲ୍’ ଅଭିଯାନରେ ଶହେ ସ୍କୁଲ ହେବ ମଡେଲ୍‌

‘ମୋ ସ୍କୁଲ୍’ ଅଭିଯାନରେ ଶହେ ସ୍କୁଲ ହେବ ମଡେଲ୍‌

174
ADVERTISEMENT

ଭୁବନେଶ୍ୱର,୨୦/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ମୋ ସ୍କୁଲ୍ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ଚଳଚଞ୍ଚଳ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଏକ ବର୍ଷ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରେ ୧୦୦ଟି ସ୍କୁଲକୁ ଚୟନ କରାଯାଇ ସେଗୁଡ଼ିକୁ ମଡେଲ ସ୍କୁଲ୍‌ରେ ପରିଣତ କରାଯିବ। ଉତ୍ତମ ପ୍ରଦର୍ଶନ କଲେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁରସ୍କାର, ସାଢ଼େ ୫୭ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ । ଏଥିରେ ପ୍ରତ୍ୟେକ ଜିଲ୍ଲାରୁ ଅତି କମ୍‌ରେ ୩ଟି ଲେଖାଏଁ ବିଦ୍ୟାଳୟ ରହିବ। ଏଥିସହ ଚଳିତବର୍ଷଠାରୁ ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ଷ୍ଟୁଡେଣ୍ଟ ଆଡ୍‌ପସନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହା ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ଓ ଇଚ୍ଛୁକ ବ୍ୟକ୍ତିବିଶେଷ ୧୦୦ଟି ବିଦ୍ୟାଳୟର ୧ ହଜାର ଛାତ୍ରଛାତ୍ରୀଙ୍କୁ ପୋଷ୍ୟଭାବେ ଗ୍ରହଣ କରି ସେମାନଙ୍କ ପାଠପଢାର ସମସ୍ତ ବିଷୟ ବୁଝିବେ। ପ୍ରଶାସନିକ ଅଧିକାରୀ, ରାଜନୈତିକ ବ୍ୟକ୍ତିବିଶେଷ ଓ କର୍ପୋରେଟ୍ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତବିଶେଷଙ୍କୁ ଷ୍ଟୁଡେଣ୍ଟ ଆଡ୍‌ପସନ କାର୍ଯ୍ୟକ୍ରମରେ ସାମିଲ କରାଯାଇ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପୋଷ୍ୟଭାବେ ଗ୍ରହଣ କରିବାକୁ ଉତ୍ସାହିତ କରାଯିବ।
ଏହାର ଲାଭ କିଭଳି ରାଜ୍ୟର ସମସ୍ତ ବିଦ୍ୟାଳୟରେ ପହଞ୍ଚିପାରିବ ଓ ଉପାନ୍ତ ଜିଲ୍ଲାର ଛାତ୍ରଛାତ୍ରୀ ଏହାଦ୍ୱାରା କିପରି ଉପକୃତ ହୋଇପାରିବେ, ତାହା ଉପରେ ଗୁରୁତ୍ୱ ଦିଆଯିବ ବୋଲି ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନ କାର୍ଯ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ‘ମୋ ସ୍କୁଲ୍ ଅଭିଯାନ’ର ୭ମ ପରିଚାଳନା ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ମୋ ସ୍କୁଲ୍ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଅଭିଭାବକମାନେ ବେସରକାରୀ ସ୍କୁଲ୍ ପରିବର୍ତ୍ତେ କିଭଳି ସରକାରୀ ସ୍କୁଲ୍‌ରେ ନିଜ ପିଲାଙ୍କୁ ପଢାଇବାକୁ ଆଗ୍ରହ ଦେଖାଇବେ ସେହି ଅନୁଯାୟୀ ବିଦ୍ୟାଳୟଗୁଡ଼ିକର ବିକାଶ କରିବାକୁ ‘ମୋ ସ୍କୁଲ୍’ ଅଧ୍ୟକ୍ଷା ଶ୍ରୀମତୀ ବାଗ୍‌ଚୀ ବୈଠକରେ ଗୁରୁତ୍ୱାରୋପ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ କହିଲେ ମୋ ସ୍କୁଲ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ରାଜ୍ୟର ୨୫ ହଜାର ସ୍କୁଲ୍‌ରେ ଭିତ୍ତିଭୂମି ବିକାଶ ସହ ଛାତ୍ରଛାତ୍ରୀଙ୍କୁ ଯେପରି ଗୁଣାତ୍ମକ ଶିକ୍ଷାଦାନ ମିଳିପାରିବ ସେଦିଗରେ ପଦକ୍ଷେପ ନିଆଯାଉଛି। ଆସନ୍ତା ଶିକ୍ଷାବର୍ଷରୁ ଭଲ ପ୍ରଦର୍ଶନ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଉତ୍ସାହିତ କରିବା ଲାଗି ପୁରସ୍କୃତ କରାଯିବ। ଖୁବ୍‌ଶୀଘ୍ର ବୈଷୟିକ ଜ୍ଞାନ ସହଯୋଗରେ ରାଜ୍ୟର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଶାଳ ସମାବେଶର ଆୟୋଜନ କରାଯିବ। ମେଣ୍ଟର କନେକ୍ଟ କାର୍ଯ୍ୟକ୍ରମରେ ରାଜ୍ୟର ଶହେଟି ବିଦ୍ୟାଳୟକୁ ମନୋନୀତ କରାଯାଇ ୧୦୦ ଜଣ ମେଣ୍ଟରଙ୍କୁ ଚୟନ କରାଯାଇଛି।

Advertisement