ଭଦ୍ରକ,୧୭/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ଗତ ବିଳମ୍ବିତ ରାତିରେ ବେଆଇନ ଗୋଚାଲାଣ ବେଳେ ବାଲେଶ୍ୱର ଜିଲ୍ଲା ସିମୁଳିଆ କଲେଜ ନିକଟରୁ ୬ଟି ପିକ୍ଅପରେ ଯାଉଥିବା ୧୦୧ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି । ଏହାଛଡ଼ା ୬ଜଣ ଚାଳକ ଓ ଜଣେ ହେଲପରଙ୍କୁ ଥାନାରେ ଅଟକ ରଖାଯାଇଛି । ଏହି ପିକ୍ଅପଗୁଡ଼ିକରେ ଭଣ୍ଡାରୀପୋଖରୀରୁ ପଶ୍ଚିମବଙ୍ଗକୁ ବେଆଇନ ଗୋଚାଲାଣ ହେଉଥିବାର ସୂଚନା ମିଳିଛି। ସିମୁଳିଆ କଲେଜ ନିକଟରୁ ୬ଟି ପିକଅପକୁ ସିମୁଳିଆ ଥାନା ଅଧିକାରୀ ପର୍ଶୁରାମ ସାହୁ ଜବତ କରିବା ସହିତ ସେଥିରେ ଥିବା ୧୦୧ଗୋରୁଙ୍କୁ ମଇତାପୁର ସ୍ଥିତ ଗୋଶାଳାରେ ଛାଡ଼ିଛନ୍ତି । ଏଣେ ଭଦ୍ରକ-ଧାମନଗର ରାସ୍ତାର ଭଣ୍ଡାରୀ ଛକରେ ଗୋରୁ ବୋଝେଇ ପିକ୍ଅପ୍ ଓଲଟି ୫ ଗୋରୁଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ଖାଲି ସେତିକି ନୁହେଁ, ଗାଡ଼ି ଛାଡ଼ି ବେପାରୀ ଫେରାର ହୋଇଛନ୍ତି । ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି।


















