Thursday, September 24, 2026
ADVERTISEMENT
Home ରାଜ୍ୟ ୩ ସ୍କୁଲରେ ୧୯ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ

୩ ସ୍କୁଲରେ ୧୯ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ

208
ADVERTISEMENT

ସୁନ୍ଦରଗଡ଼,୧୩/୦୧/୨୧(ଡ଼ି.ଏଚ/ବ୍ୟୁରୋ) : କରୋନା ମହାମାରୀ ପାଇଁ ଦୀର୍ଘ ୮ ମାସ ଧରି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ରାଜ୍ୟସରକାରଙ୍କ ନିର୍ଦେଶକ୍ରମେ କିଛିଦିନ ତଳେ ସ୍କୁଲରେ ଦଶମ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ କୋଭିଡ ଗାଇଡ଼ ଲାଇନର ନିୟମକୁ ପାଳନ କରାଯାଉଛି। ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ତଥା କର୍ମଚାରୀଙ୍କ ପାଇଁ ସାନିଟାଇଜେସନ ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯାଉଥିବାର ବ୍ୟବସ୍ଥା କରାଯାଇଛି । ସମସ୍ତଙ୍କୁ ମାକ୍ସ ପରିଧାନ ବାଧ୍ୟତାମୂଳକ କରିବା ସହିତ ସାମାଜିକ ଦୂରତ୍ୱ ରଖିବାକୁ କଡା ନିର୍ଦେଶ ଦିଆଯାଇଛି । ଏହାର ତଦାରଖ ପାଇଁ ଅନେକ ଅଧିକାରୀଙ୍କୁ ନିୟୋଜିତ ମଧ୍ୟ କରାଯାଇଛି । ହେଲେ କିଛି ବିଦ୍ୟାଳୟ ଖୋଲିଲା ବେଳକୁ ଧୀରେ ଧୀରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂପ୍ରତି ୩ଟି ସ୍କୁଲରେ ୧୯ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ସୁନ୍ଦରଗଡ଼ ଜିଲ୍ଲା ଲଇକେରା ବ୍ଲକରେ ସରକାରୀ ଓ ବେସରକାରୀ ଭାବରେ ୧୩ଟି ହାଇସ୍କୁଲ ରହିଛି । ଯେଉଁଥିରେ ମୋଟ ୭୭୫ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ଆଠ ତାରିଖ ପ୍ରଥମ ଦିନ ୩୩୫ ଜଣ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଥିଲା । ଯାହାକି ୪୩.୨୨% ଅଟେ । ଧୀରେଧୀରେ ବିଦ୍ୟାଳୟରେ ଉପସ୍ଥାନ ବି ବଢ଼ିବାରେ ଲାଗିଛି । ଛାତ୍ରଛାତ୍ରୀମାନଙ୍କର କରୋନା ପରୀକ୍ଷା ହେବାରୁ ଜେଓ ସରକାରୀ ହାଇସ୍କୁଲ ସାହାସପୁରର ୯ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କେଜିପି ସରକାରୀ ହାଇସ୍କୁଲ ସାଲେଟିକିରାରେ ୨ ଜଣ , ହେମସାଗର ହାଇସ୍କୁଲ ପାକେଲଖୋଲରେ ୮ ଜଣ ଛାତ୍ରଛାତ୍ରୀଙ୍କ ଠାରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି । ଏହାକୁ ନେଇ ବର୍ତ୍ତମାନ ଅଭିଭାବକମାନଙ୍କ ସହିତ ଶିକ୍ଷାବିଭାଗ ଚିନ୍ତାରେ ପଡିଯାଇଛି । ଏବିଇଓ ବିଦେଶୀ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେଉଁ ବିଦ୍ୟାଳୟ ଗୁଡିକରେ କରୋନା ଚିହ୍ନଟ ଛାତ୍ରଛାତ୍ରୀମାନେ ବାହାରୁଛନ୍ତି, ଆମେ ସେମାନଙ୍କର ପ୍ରଧାନଶିକ୍ଷକମାନଙ୍କୁ କହି ଦେଇଛୁ ସେମାନେ ସ୍ୱାସ୍ଥ୍ୟବିଭାଗର ମେଡିକାଲ ଅଫିସରଙ୍କ ସହିତ ଯୋଗାଯୋଗ କରିବା ସହିତ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ହୋମଆଇସୋଲେସନରେ ରହିବାକୁ ପରାର୍ମଶ ଦେବେ।

Advertisement