Friday, November 6, 2026
ADVERTISEMENT
Home ମୁଖ୍ୟ ଖବର କାଳିଆ ଠାକୁର ଦର୍ଶନ ନେଇ କୋହଳ ହେବ କଟକଣା : ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ

କାଳିଆ ଠାକୁର ଦର୍ଶନ ନେଇ କୋହଳ ହେବ କଟକଣା : ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ

178
ADVERTISEMENT

ଭୁବନେଶ୍ୱର,୧୦/୦୧/୨୧(ଡ଼ି.ଏଚ/ବ୍ୟୁରୋ) : କୋହଳ ହୋଇପାରେ କାଳିଆ ଦର୍ଶନ କଟକଣା। ଉଠିପାରେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବ୍ୟବସ୍ଥା। ଏଥିପାଇଁ ଆସନ୍ତାକାଲି (ରବିବାର) ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି। ବୈଠକରେ ଦର୍ଶନ ବ୍ୟବସ୍ଥା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। ସପ୍ତାହେ ଧରି ଚାଲିଥିବା ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରାଯିବ। ବିଶେଷ କରି ଗରିବ ଭକ୍ତ କିଭଳି ସୁବିଧାରେ ଦର୍ଶନ କରି ଫେରିବେ, ତାହା ଫୋକସ୍‌ର ରହିବ। କୋଭିଡ୍‌ ରିପୋର୍ଟ ପାଇଁ ଅର୍ଥ ଯୋଗାଡ଼ କରି ପାରୁନଥିବା ଭକ୍ତ ଯେଭଳି ସୁବିଧାରେ ଦର୍ଶନ କରି ଫେରିବେ, ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ବୋଲି ଜଣାପଡ଼ିଛି । ଦୀର୍ଘ ୯ ମାସ ପରେ ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଲିଛି ସତ, ତଥାପି ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଅଛନ୍ତି ଭକ୍ତ। କୋଭିଡ୍‌ ‌ରିପୋର୍ଟର କଟକଣା ଭକ୍ତ ଓ ଭଗବାନଙ୍କ ଭିତରେ ପାଚେରି ଠିଆ କରିଛି। ଦର୍ଶନ ନ ପାଇ ଶ୍ରୀମନ୍ଦିର ଦୁଆରୁ କାନ୍ଦି କାନ୍ଦି ଫେରୁଛନ୍ତି ଭକ୍ତ। ଧାଡ଼ି ଦର୍ଶନ ପାଇଁ ଲାଗିଥିବା ବାରିକେଡ୍‌ ଅପେକ୍ଷା ବାହାରେ ଅସମ୍ଭାଳ ଭିଡ଼ ହେଉଛି। ଶ୍ରୀମନ୍ଦିର ପ୍ରଶାସନର ଏଭଳି ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନାପସନ୍ଦ କରୁଥିବା ଭକ୍ତ ପତିତପାବନଙ୍କୁ ଦର୍ଶନ କରି ଫେରିବାକୁ ଶ୍ରେୟ ମଣୁଛନ୍ତି । ପୂର୍ବ ନିଷ୍ପତ୍ତି ମୁତାବକ ସପ୍ତାହକର ଦର୍ଶନ ବ୍ୟବସ୍ଥା ଦେଖିବା ପରେ ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ଏହାର ସମୀକ୍ଷା ପାଇଁ ବୈଠକ ଡକାଯାଇଛି। ମୁଖ୍ୟ ପ୍ରଶାସକଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟି ଦର୍ଶନ ବ୍ୟବସ୍ଥା ଉପରେ ଆଲୋଚନା କରିବ। ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀ, ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ବି ବୈଠକରେ ଯୋଗଦେବେ। ଦର୍ଶନ ବ୍ୟବସ୍ଥା କେମିତି ଥିଲା, ଆଉ କ’ଣ ପରିବର୍ତ୍ତନ ଅଣାଯାଇ ପାରିବ, ସେ ଉପରେ ମତ ସଂଗ୍ରହ କରାଯିବ। କୋଭିଡ୍‌ ରିପୋର୍ଟ କଟକଣାକୁ ନେଇ ବିରୋଧାଭାଷ ଥିବାବେଳେ ଏହାକୁ ହଟାଇବାକୁ ଯୋଜନା କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

Advertisement