ଭୁବନେଶ୍ବର,୩୦/୧୨(ଡ଼ି.ଏଚ/ବ୍ୟୁରୋ) : ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ଅଞ୍ଚଳରେ ଗୁଣିଗାରେଡି ସନ୍ଦେହରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବାର ଖବର ମିଳିଛି। ଅତି ବିଭତ୍ସ ଭାବେ ଗ୍ରାମ ରାସ୍ତାରେ ଜଣେ ମହିଳାଙ୍କୁ ବେକ କାଟି ହତ୍ୟା କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଶରତ ଥାନା ଅନ୍ତର୍ଗତ ଶାରୀଶୁଆ ଗ୍ରାମରେ। ମୃତ ମହିଳା ଜଣକ ହେଲେ ଶାରୀଶୁଆ ଗ୍ରାମର ଖଇରୀ ମହାନ୍ତ । ସୂଚନା ଅନୁଯାୟୀ, ଶାରୀଶୁଆ ଗ୍ରାମର ଖଇରୀ ମହାନ୍ତ ଗତକାଲି ସନ୍ଧ୍ୟା ସମୟରେ ପାଣି ଆଣିବା ନିମନ୍ତେ ହାତରେ ମାଠିଆ ଧରି ନଳକୂପ ନିକଟକୁ ଯାଇଥିବା ବେଳେ ଉକ୍ତ ସମୟରେ ତାଙ୍କୁ ବେକ କାଟି ହତ୍ୟା କରାଯାଇଛି। ଶାରୀଶୁଆ ଗ୍ରାମର ଅନିଲ ମହାନ୍ତ ଦୀର୍ଘ ବର୍ଷ ହେବ ବିବାହ କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ତାନ ହୋଇନାହାନ୍ତି। ସେହି ଗ୍ରାମର ଖଇରୀ ମହାନ୍ତ ଗୁଣିଗାରେଡ଼ି କରୁଥିବାରୁ ଅନୀଲଙ୍କର ସନ୍ତାନ ହେଉ ନ ଥିବା ସେ ସନ୍ଦେହ କରିଥିଲେ। ଏହାକୁ ନେଇ ଅନୀଲଙ୍କ ମନରେ ରାଗ ପୁଞ୍ଜିଭୂତ ହୋଇ ରହିଥିଲା।
ଖଇରୀ ଗୁଣିଗାରେଡି କରୁଥିବାରୁ ତାହାର ସନ୍ତାନ ହେଉ ନ ଥିବା ସନ୍ଦେହ କରି ଗତକାଲି ସନ୍ଧ୍ୟା ସମୟରେ ଖଇରୀ ଗ୍ରାମ ନଳକୂପକୁ ପାଣି ଆଣିବାକୁ ଯାଇଥିବା ବେଳେ ଅନୀଲ ଏବଂ ତାର ଭାଇ ବଳରାମ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରିଥିଲେ। ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

















