ପାରଳାଖେମୁଣ୍ଡି,୨୯/୧୨(ପ୍ରଭାତ କୁମାର ପାତ୍ର): ଓଡିଶା ସରକାର ସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମେଡିକାଲ ଓ ବୈଷୟିକ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନିମନ୍ତେ କ୍ୟାବିନେଟ ଅନୁମୋଦନ କରିଛନ୍ତି । ସେଥିନିମନ୍ତେ ଗଜପତି ଜିଲ୍ଲା ଶିକ୍ଷାଧିକାରୀ,ଶିକ୍ଷକ,ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ଓ ଅଭିଭାବକ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ଯ ଅତିଥିଭାବେ ଯୋଗଦେଇ ସରକାରୀ ବିଦ୍ୟାଳୟଗୁଡ଼ିକରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ମେଡିକାଲ ଓ ବୈଷୟିକ ଶିକ୍ଷାରେ ପଢିବା ପାଇଁ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ରାଜ୍ୟ ସରକାର କ୍ୟାବିନେଟ ନିଷ୍ପତି ଗ୍ରହଣ କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହାଦ୍ୱାରା ପୂର୍ବରୁ ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନେ ଉପରୋକ୍ତ ଶିକ୍ଷାକ୍ଷେତ୍ରରେ ବିଭିନ୍ନ କାରଣରୁ ଦକ୍ଷତା ଥାଇ ମଧ୍ୟ ପଢିବାର ବଞ୍ଚିତ ହେଉଥିଲେ । ସରକାର ଏହି ନିଷ୍ପତି ଦ୍ବାରା ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ସାଂସଦ ଶ୍ରୀ ସାହୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସଂଗ୍ରାମଶେଖର ପଣ୍ଡା, ସୁଶ୍ରୀ କଲ୍ୟାଣୀ ଦେବୀ, ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତିନିଧି ସାତ୍ମିକରଣ କୁମାର ପଟନାୟକ,ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବୃଷକେତୁ ଦାସ,ମହାରାଜାଙ୍କ ବାଳିକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବୈକୁଣ୍ଠ ରାଓ,ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ମଞ୍ଚାସୀନ ଥିଲେ ।


















