କଟକ,୨୬/୧୨(ଡ଼ି.ଏଚ/ବ୍ୟୁରୋ) : କଟକ ଜିଲ୍ଲାରେ ପୁଣି ଚିନ୍ତା ବଢାଇଛି କରୋନା। ପାଖାପାଖି ଦୁଇ ମାସର ବ୍ୟବଧାନ ପରେ ଜିଲ୍ଲାର ପୁଣି ଏକ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। କରୋନା ପ୍ରକୋପ ହ୍ରାସ ପାଇବା, ରୋଗୀ ସଂଖ୍ୟା କମି ଚାଲିବାକୁ ନେଇ ଗୋଟିଏ ପଟେ ରାଜ୍ୟରେ କିଛିଟା ଆଶ୍ବସ୍ତି ପ୍ରକାଶ ପାଇଥିବା ବେଳେ ଏବେ ଏକ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିବା ଘଟଣା ଉଦ୍ବେଗର କାରଣ ହୋଇଛି। କଟକ ଜିଲ୍ଲାର କଣ୍ଟାପଡ଼ା ବ୍ଲକର ଏକ ଗ୍ରାମରେ କଣ୍ଟେନ୍ମେଣ୍ଟ ଜୋନ୍ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ବଡ଼ପାଟ ସୁନ୍ଦରପୁର ପଞ୍ଚାୟତର ନୂଆସାହି ଖଣ୍ତସାଇଲୋର ଜଣେ ବ୍ୟକ୍ତି ମହାମାରୀ କରୋନାରେ ପ୍ରାଣ ହରାଇଥିଲେ। ପରେ କଟକ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବଡ଼ପାଟସୁନ୍ଦରପୁର ସରପଞ୍ଚ ଦିଲ୍ଲୀପ କୁମାର ସ୍ବାଇଁ ନୂଆସାହିକୁ କଣ୍ଟେନ୍ମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି। ଆସନ୍ତା ୨୬ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଡେଙ୍ଗୁରା ପିଟାଯାଇ ଘୋଷଣା କରାଯାଇଛି। କଣ୍ଟାପଡ଼ା ବିଡ଼ିଓ ଶୁଭଶ୍ରୀ ରଥ ଓ ନୋଡ଼ାଲ ଅଫିସର ନିବାସ ରାଉତରାୟ ପ୍ରଶାସନର ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଗୋବିନ୍ଦପୁର ଥାନା ଅଧିକାରୀ ମାନସ କୁମାର ମିଶ୍ର ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ଲୋକମାନେ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଗୋଟିଏ ପରିବାରର ୧୧ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହେବା ଏବଂ ଜଣେ ପ୍ରାଣ ହରାଇବା ପରେ ସେହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।


















