ଭୁବନେଶ୍ୱର ,୨୫/୧୨(ଡ଼ି.ଏଚ/ବ୍ୟୁରୋ) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ନୂଆପଡ଼ା ଜିଲ୍ଲା ସଦର ବ୍ଳକ ଜେଞ୍ଜରା ଗ୍ରାମର ଚାଷୀ ନବୀନ ଠାକୁର କଥା ହୋଇଛନ୍ତି। କୃଷକମାନଙ୍କ ସହ ଭିଡିଓ କନ୍ଫରେନ୍ସିଙ୍ଗରେ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶାର କୃଷକ ନବୀନ ଠାକୁରଙ୍କୁ କହିଲେ, କୃଷକମାନଙ୍କୁ କିଷାନ୍ କ୍ରେଡିଟ୍ କାର୍ଡ ବିଷୟରେ କହିବା ସହ ଏହାଦ୍ୱାରା ମିଳୁଥିବା ସ୍ୱଳ୍ପ ସୁଧହାର ଋଣ ସମେତ ଅନ୍ୟାନ୍ୟ ଉପକାର କଥା ଆପଣ କୃଷକମାନଙ୍କୁ କୁହନ୍ତୁ। ଏହି ଭିଡିଓ କନ୍ଫରେନ୍ସିଙ୍ଗରେ ଆଲୋଚନା ସମୟରେ ନୂଆପଡ଼ା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବାବାଜୀ ଚରଣ ବେହେରା, ନୂଆପଡ଼ା ଆତ୍ମା ଉପପ୍ରକଳ୍ପ ନିର୍ଦ୍ଦେଶକ ସୁଧାଂଶୁ ଶେଖର ସାହୁ ବି ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଷାନ୍ ସମ୍ମାନ ନିଧି’ ଯୋଜନାର ପରବର୍ତ୍ତୀ କିସ୍ତି ଭାବେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ କୋଟି କୃଷକଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ୧୮,୦୦୦ କୋଟି ଟଙ୍କା ରିଲିଜ୍ କରିଛନ୍ତି। ଗତ ପ୍ରାୟ ଏକ ମାସ ହେବ କୃଷକମାନେ କୃଷି ଆଇନ ବିରୋଧରେ ଚଳାଇଥିବା ତୀବ୍ର ପ୍ରତିବାଦ ମଧ୍ୟରେ କୃଷକମାନଙ୍କ ଜମା ଖାତାକୁ ପ୍ରତ୍ୟକ୍ଷ ଭାବେ ଏହି ନଗଦ ଅର୍ଥ ପ୍ରେରଣ କରାଯାଇଛି।ଏହି ଯୋଜନାର ପ୍ରଥମ କିସ୍ତି ୨୦୧୯ରେ ପ୍ରଦାନ କରାଯାଇଥିଲା।


















