ୟୁଏପିଏ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ

189
ADVERTISEMENT

ନୂଆଦିଲ୍ଲୀ ,୦୩/୦୮ ଏଜେନସି : ଆତଙ୍କବାଦ ନିରୋଧୀ ଆଇନ (ୟୁଏପିଏ)ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନକୁ ଶୁକ୍ରବାର ପାର୍ଲାମେଣ୍ଟ ଅନୁମୋଦନ କରିଛି । ଫଳରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କେନ୍ଦ୍ର ଓ ରାଜ୍ୟ କର୍ତ୍ତୃପକ୍ଷ ଆତଙ୍କବାଦୀ ଘୋଷଣା କରିବା ସହ ତାଙ୍କ ସମ୍ପତ୍ତିକୁ ଜବତ କରିପାରିବେ । ୧୯୬୭ର ଆଇନରେ ସଂଶୋଧନ ପାଇଁ ସରକାର ଆଣିଥିବା ବେଆଇନ କାର୍ଯ୍ୟକଳାପ ନିବାରଣ (ସଂଶୋଧନ) ବିଲ୍‌କୁ ଶୁକ୍ରବାର ରାଜ୍ୟ ସଭା ଅନୁମୋଦନ କରିଛି । ବିଲ୍‌ ସପକ୍ଷରେ ୧୪୭ ଭୋଟ ପଡ଼ିଥିବାବେଳେ ବିପକ୍ଷରେ ୪୨ଟି ଭୋଟ ଯାଇଥିଲା। ବିଲ୍‌କୁ କଂଗ୍ରେସ ଓ ବିଏସ୍‌ପି ସମର୍ଥନ କରିଥିଲେ । ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ବିରୋଧୀ ଦଳ ଆଣିଥିବା ପ୍ରସ୍ତାବ କାଟ୍‌ ହୋଇ ଯାଇଥିଲା। ପ୍ରସ୍ତାବ ସପକ୍ଷରେ ୮୫ ଭୋଟ ମିଳିଥିବାବେଳେ ବିପକ୍ଷରେ ୧୦୪ ଭୋଟ ପଡ଼ିଥିଲା । ଗତ ୨୪ ତାରିଖରେ ବିଲ୍‌ ଲୋକ ସଭାରେ ଗୃହୀତ ହୋଇଥିଲା । ଆଲୋଚନାର ଉତ୍ତର ରଖି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ କହିଥିଲେ, ସଂଶୋଧିତ ଆଇନ କେବଳ ଆତଙ୍କବାଦ ଦମନ ପାଇଁ ବ୍ୟବହାର କରାଯିବ। ସଂଶୋଧିତ ଆଇନର ଅପବ୍ୟବହାର ହୋଇପାରେ ବୋଲି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଥିବାବେଳେ ଏହାକୁ ଖଣ୍ଡନ କରି କାହାର ମାନବାଧିକାରର ଉଲ୍ଲଂଘନ ହେବ ନାହିଁ ବୋଲି ଶାହ ଗୃହକୁ ପ୍ରତିଶ୍ରୁତି ଦେଇଥିଲେ । କୌଣସି ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରିବା ପୂର୍ବରୁ ୪ ଥାକିଆ ଯାଞ୍ଚ ବ୍ୟବସ୍ଥା ରହିଛି। ଏଥିସହିତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅପିଲ୍‌ କରିବା ସୁଯୋଗ ବିଲ୍‌ରେ ରହିଛି । ଜଣେ ବ୍ୟକ୍ତି ଆତଙ୍କବାଦ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ, ଆତଙ୍କବାଦର ପ୍ରସାର ପାଇଁ କାର୍ଯ୍ୟ କରୁଥିଲେ କିମ୍ବା ଏଥିପାଇଁ ପ୍ରସ୍ତୁତି ଚଳାଇଥିଲେ ତାଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇପାରିବ । ଆତଙ୍କବାଦର କୌଣସି ଧର୍ମ ନାହିଁ, ଏହା ମାନବତା ବିରୋଧୀ । ତେଣୁ ଆତଙ୍କବାଦ ବିରୋଧରେ କଠୋର ଆଇନକୁ ସବୁ ଦଳ ସମର୍ଥନ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅନୁରୋଧ କରିଥିଲେ ।

Advertisement