ବ୍ରହ୍ମପୁର,୧୭/୧୨,(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ର ବଡ ବରଗାଁ ପଞ୍ଚାୟତରେ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ପ୍ରଦାନ କରାଯାଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଆଇନଜୀବୀ ସ୍ବରାଜ୍ୟ ପାଣିଗ୍ରାହୀଙ୍କ ନେତୃତ୍ୱରେ ବୁଧବାର ଦିନ ଗ୍ରାମବାସୀ ବିଡିଓ ବିଜୟ କୁମାର ବେହେରାଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ ।
ସୂଚନା ଅନୁସାରେ,ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପ୍ରଦାନ କରାଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫ଜଣ ବୃଦ୍ଧ,ବୃଦ୍ଧା, ବିଧବା, ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷ ବିଭିନ୍ନ ସମୟରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବରଣ କରିଥିଲେ ମଧ୍ୟ ବର୍ଷ ବର୍ଷ ଧରି ସେମାନଙ୍କ ନାମରେ ଭତ୍ତା ଟଙ୍କା ଉଠାଣ କରି ହଡପ କରିଛନ୍ତି ।୨୦୧୭ମସିହାରେ ମୃତ୍ୟୁ କରିଥିବା ବ୍ୟକ୍ତିଙ୍କ ନାମରେ ୨୦୧୯ ମସିହା ପର୍ଯ୍ୟନ୍ତ ଭତ୍ତା ଟଙ୍କା ଉଠାଣ କରାଯାଇଥିବା ସୂଚନା ଅଧିକାର ଆଇନ ବଳରେ ସୂଚନା ମିଳିଛି।ସେହିପରି ମୃତ୍ୟୁ କାଳିନ ପ୍ରମାଣ ପତ୍ର ଭାଟକୁମରଡାଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୁ ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ଫଳରେ ଏସବୁ କଳାକାରାନାମା ପଦାକୁ ଆସି ଯାଇଛି ।ସରପଞ୍ଚ ଓ ଗ୍ରାମସେବକ ମିଳିମିଶି ଏହି ଟଙ୍କା ହଡପ କରି ଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।୧୦ ଜଣହିତାଧିକାରୀଙ୍କ ନାମରେ ଦୁଇ ଦୁଇ ଟି ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କ ଟଙ୍କାକୁ ମଧ୍ୟ ଆତ୍ମସାତ କରିଛନ୍ତି।ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଗ୍ରାମବାସୀ ମାନେ ବିଡିଓ ଙ୍କ ଜରିଆରେ ପଞ୍ଚାୟତରାଜ ମନ୍ତ୍ରୀ, ସଚିବ,ଗଞ୍ଜାମ ଜିଲ୍ଲାପାଳ ଓ ଦୁର୍ନୀତି ନିବାରଣ ଆରକ୍ଷୀ ଅଧିକାରୀ ବ୍ରହ୍ମପୁରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ପ୍ରତିକ୍ରିୟାରେ ବିଡିଓ ଶ୍ରୀ ବେହେରା ଉଚ୍ଚ ଅଧିକାରୀଙ୍କ ଦ୍ବାରା ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି କହିଛନ୍ତି ।


















