ବ୍ରହ୍ମପୁର,୦୪/୧୨(ଇ.ରଞ୍ଜନ) :କୃଷକ ବିରୋଧୀ ତଥା କର୍ପୋରେଟ ସପକ୍ଷବାଦୀ ୩ଟି କୃଷି ଆଇନ ଓ ବିଦ୍ୟୁତ ସଂଶୋଧନ ବିଲ୍ ୨୦୨୦କୁ ରଦ୍ଦ କରିବା ପାଇଁ ଅଖିଳ ଭାରତ କୃଷକଙ୍କ ସଂଘର୍ଷ ସମନ୍ୱୟ ସମିତି ନେତୃତ୍ୱରେ ସାରା ଦେଶର କୃଷକ ଦିଲ୍ଲୀ ଅଭିମୁଖେ ଯାତ୍ରା କରି ଦୀର୍ଘ ୭ ଦିନ ଧରି ବୀରତ୍ବପୂର୍ଣ ସଂଘର୍ଷ ଜାରି ରଖିଛନ୍ତି। ଦିଲ୍ଲୀରେ କୃଷଷଙ୍କ ପ୍ରବେଶକୁ ରୋକିବା ପାଇଁ ସରକାର ସମସ୍ତ ଦମନ ମୂଳକ ଓ ଅଗଣତାନ୍ତ୍ରିକ ବ୍ୟବସ୍ଥା ଯଥା ରାସ୍ତା ଖୋଳିବା, ପ୍ରବଳ ଥଣ୍ଡା ସମୟରେ ଅନ୍ନଦାତାଙ୍କ ଉପରେ ପାଣିମାଡ, ଗ୍ୟାସ୍ ପ୍ରୟୋଗ କରି ସମସ୍ତ ସୀମାକୁ ଲଂଘନ କରିଛନ୍ତି । ଭଗତ ସିଂଙ୍କ ଉତ୍ତର ଦାୟଦ ମାନେ ସରକାରଙ୍କ ସମସ୍ତ ଚାଲକୁ ଭଣ୍ଡୁର କରି କଳା ଆଇନକୁ ରଦ୍ଦ କରି ଅନ୍ନଦାତାଙ୍କ ବିଜୟକୁ ସୁନିଶ୍ଚିତ କରିବା ପାଇଁ ସଂକଳ୍ପବଦ୍ଧ ହୋଇ ଅଗ୍ରସର ହେଉଛନ୍ତି । ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶ ସମେତ ଦେଶର ବିଭିନ୍ନ ପ୍ରାନ୍ତର ବର୍ଷିୟାନ କୃଷକ ଆନ୍ଦୋଳନରେ ତ୍ୟାଗ, ବଳିଦାନ ସହ ବୀରତ୍ବପୂର୍ଣ ସଂଘର୍ଷ ଇତିହାସ ପୃଷ୍ଠାରେ ନୂତନ ଅଧ୍ୟାୟ ଯୋଗ କରିଅଛି। ଅନ୍ନଦାତାଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ କ୍ରାନ୍ତିକାରୀ କୃଷକ ସଭା ପକ୍ଷରୁ ୦୩ ଡିସେମ୍ବର ୨୦୨୦କୁ ଦେଶବ୍ୟାପୀ ସଂହତି ଦିବସ ଭାବେ ପାଳନ କରିବା ପାଇଁ ଆହ୍ବାନ ଦେଇ ସଭାସମିତି, ଶୋଭାଯାତ୍ରା ଓ ବିକ୍ଷୋଭ ଆୟୋଜନ କରି ସମର୍ଥନକୁ ବ୍ୟାପକ କରିଛି । ଏହି ଆନ୍ଦୋଳନର ବିଶେଷତ୍ଵ ହେଉଛି କୃଷକ ବିରୋଧୀ କୃଷି ଆଇନକୁ ରଦ୍ଦ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ସଂଘର୍ଷ କରୁଛନ୍ତି ତାହା ସବୁ ଶ୍ରେଣୀର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ସଂଶୋଧିତ ଆଇନ ଦେଶର ଖାଦ୍ୟ ଉତ୍ପାଦନ, ସଂରକ୍ଷଣ ଏବଂ ବଣ୍ଟନ କର୍ପୋରେଟ୍ କମ୍ପାନୀ ହାତକୁ ମାଲିକାନା ଟେକିଦେବ । ଏହାଦ୍ବାରା କେବଳ କୃଷକ ନୁହଁନ୍ତି, ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରୁଥିବା ସମସ୍ତ ଗରିବ ଓ ଖାଉଟି ବହୁ ମହଙ୍ଗାବୋଝର ଶିକାର ହେବେ ।
ଭବିଷ୍ୟତର ବିପଦକୁ ଅନୁଭବ କରି ଲକ୍ଷ ଲକ୍ଷ କୃଷକମାନେ ଦିଲ୍ଲୀ ପହଞ୍ଚିଛନ୍ତି । ଫାସିବାଦୀ ଶାସକଙ୍କ ହାତମୁଠିରୁ ଦେଶକୁ ରକ୍ଷା କରି ଦେଶବାସୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି କ୍ରାନ୍ତିକାରୀ କୃଷକ ସଭାର ଜିଲ୍ଲା କମିଟି ସଦସ୍ୟା ପି ପାର୍ବତୀ ଆହ୍ବାନ ଦେଇଛନ୍ତି ଏବଂ ଆସନ୍ତା ୫ ଡିସେମ୍ବର ୨୦୨୦ ରେ ପ୍ରତି ଗାଁ ଗାଁରେ ଅତ୍ୟାଚାରୀ ଶାସକଙ୍କ କୁଶପୁତ୍ତଳିକା ଜଳେଇ କର୍ପୋରେଟ କମ୍ପାନୀ ହାତରୁ କୃଷକର ଜୀବନ ଓ ଜୀବିକା ରକ୍ଷା କରିବା ନିମନ୍ତେ ଯୁବକ, ଛାତ୍ର, ଶ୍ରମିକ, ମହିଳା, ଆଦିବାସୀ ଓ ଦଳିତଙ୍କ ଏକତା ଅତ୍ୟନ୍ତ ଜରୁରୀ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ବିକ୍ଷୋଭରେ ଜିଲ୍ଲା ନେତ୍ରୀ ପି ପାର୍ବତୀ, ପିଣ୍ଟୁ ନାୟକ, ଜନ ଜାଗରଣ ଅଭିଯାନର ମଧୁସୂଦନ, ସାମାଜିକ କର୍ମୀ ଲେନା ଚାନ୍ଦ, ଆଇଏଫଟିୟୁ ରାଜ୍ୟ ଶ୍ରମିକ ନେତା ପ୍ରତାପ ପ୍ରଧାନ, ଏ ଆଇ କେ ଏମ ଏସ ର ନାରାୟଣ ବିଷୋୟୀ ଓ ଲଡୁ ଡାକୁଆ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ଗୈ।ତମ ନାହକ, ସାମାଜିକ କର୍ମୀ ଶ୍ରୀନିବାସ ରାଓ ଆଦି ଉପସ୍ଥିତ ଥିଲେ ।


















