ପାରଳାଖେମୁଣ୍ଡି, ୩୦/୧୧(ପ୍ରଭାତ କୁମାର ପାତ୍ର ) : ଆଜି କାର୍ତ୍ତିକ ପୂର୍ଣ୍ଣିମା । ହେଲେ କରୋନା କଟକଣା ଯୋଗୁଁ ଏଥର ବୋଇତ ବନ୍ଦାଣକୁ ମନା କରିଛି ପ୍ରଶାସନ । କୌଣସି ଜଳାଶୟ, ପୁଷ୍କରିଣୀ, ନଦୀରେ ଡଙ୍ଗା ଭସାଣ ହେବ ନାହିଁ । କିନ୍ତୁ କୋଭିଡ କଟକଣା ମଧ୍ୟରେ ପାରଳାଖେମୁଣ୍ଡି ଅଞ୍ଚଳର ବ୍ରତଧାରୀ ମାନେ ଆଜି କାର୍ତ୍ତିକ ପୂର୍ଣ୍ଣମୀରେ ନିଜର ବ୍ରତ ସମାପନ କରିଛନ୍ତି । ଆଜି ଗାଁ ଗାଁ ମାନଙ୍କରେ ଥିବା ଜଳାଶୟ, ପୁଷ୍କରିଣୀ ଏବଂ ଅଂଚଳ ଦେଇ ଯାଉଥିବା ନଦୀ କୂଳରେ କମ ସଂଖ୍ୟକ ବ୍ରତଧାରୀ ଡଙ୍ଗା ଭସାଇ ନିଜର ବ୍ରତ ସମାପନ କରିଛନ୍ତି । ବ୍ରତଧାରୀମାନେ ସ୍ନାନ କରି କଦଳୀ ପଟୁଆ ଓ ସୋଲ କାଗଜରେ ତିଆରି ଡଙ୍ଗା ଭସାଇଥିଲେ ।ଅତୀତର ନୌବାଣିଜ୍ୟ ପରମ୍ପରା ମନେ ପକାଇ ବ୍ରତଧାରୀମାନେ ଡଙ୍ଗା ଭସାଇବା ସହିତ ଧୂପ ଦୀପ ଓ ନୈବେଦ୍ୟ ଦେଇଥିଲେ ! କେବଳ ବିଧି ରକ୍ଷାପାଇଁ ରାତି ୩ଟାରୁ ଘାଟର କମ୍ ସଂଖ୍ୟାରେ ଲୋକେ ବୁଡ ପକାଇ ଘାଟରେ ଡଙ୍ଗା ଭସାଇଥିଲେ ।ଏହି ସମୟରେ ଶ୍ରଦ୍ଧାଳୁମାନେ ପାରଂପାରିକ ଗୀତ, ଆ କା ମା ବୈ ପାନ ଗୁଆ ଖଇ, ପାନ ଗୁଆ ତୋର ମାସକ ଧରମ ମୋର , ବୋଲି ଗୀତ ଗାଇ ବୋଇତ ବନ୍ଦାଣ ନୀତି ସମାପନ କରିଥିଲେ । ଏହି ଦିନରେ ପ୍ରତ୍ୟୁଷରେ ସ୍ନାନ କରି ଦେବ ଦର୍ଶନ କଲେ ସମସ୍ତ ପାପ ଧୋଇ ହୋଇ ପୂଣ୍ୟ ମିଳେ ବୋଲି ଭକ୍ତମାନଙ୍କର ବିଶ୍ବାସ ରହିଛି । ସେହିପରି ଅଞ୍ଚଳରେ ମନ୍ଦିର ଗୁଡିକ ଖୋଲା ନ ଥିବାରୁ ବ୍ରତଧାରୀ ମାନେ ମନ୍ଦିର ଆଗରେ କୋଭିଡ ନିୟମ ଅନୁସାରେ ପୂଜା ଅର୍ଚନା କରିଥିବା ଦେଖିବାକୁ ମିଳିଥିଲା !

















