ଝାରସୁଗୁଡ଼ା,୨୮/୧୧ ,(ଡ଼ି.ଏଚ,ବ୍ୟୁରୋ): ଝାରସୁଗୁଡ଼ା ଜିଲ୍ଲା ବନହରପାଲି ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ଥାନା ଅନ୍ତର୍ଗତ ବନ୍ଧବାହାଲଠାରେ କିଛି ନକଲି ନୋଟ ବ୍ୟବହାରକାରୀଙ୍କ ଠାରୁ ଏହାର ଖିଅ ଜଣାପଡ଼ିଥିବା ବେଳେ ପୁଲିସ ସମ୍ବଲପୁର ଜିଲ୍ଲାରୁ ଏହି କାରବାରରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ନେଇ ଆଜି ଏସପି ରାହୁଲ ପିଆର୍ ଝାରସୁଗୁଡ଼ା ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନଙ୍କ ପାଖରୁ ୯୬ ହଜାର ୩ ଶହ ଟଙ୍କାର ଜାଲ ନୋଟ ଓ ପ୍ରିଣ୍ଟିଂ ମେସିନକୁ ପୁଲିସ ଜବତ କରିଛି । ଝାରସୁଗୁଡା ଜିଲ୍ଲା ବନହରପାଲି ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ପରେ ସମ୍ବଲପୁର ଜିଲ୍ଲା ବାମରାରେ ଠାରେ ଥିବା ଏହି ନକଲି ନୋଟ କାରଖାନାକୁ ଠାବ କରିଥିଲା। ଗୁରୁବାର ରାତି ଏହା ଉପରେ ଚଢ଼ଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ଵଲପୁର ଜିଲ୍ଲା ଅନ୍ତର୍ଗତ ଗୋବିନ୍ଦପୁରର ମହମ୍ମଦ ଇରଫାନ(୨୪), ଇସ୍ଥିଫାକ ଆନ୍ସାରୀ (୩୨), ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଅନ୍ତର୍ଗତ ଖଡ଼ମର ମହମ୍ମଦ ଅଜମଲ (୨୦) ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାହୁଲ ସୂଚନା ଦେଇଛନ୍ତି l

















