ନୂଆଦିଲ୍ଲୀ,୨୮/୧୧ ,(ଡ଼ି.ଏଚ,ବ୍ୟୁରୋ):ବାତ୍ୟା ‘ନିଭାର’ ପରେ ପୁଣିଥରେ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୨୯ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ତାମିଲନାଡୁ ଉପକୂଳ ଛୁଇଁବା ପୂର୍ବରୁ ଘନୀଭୂତ ହୋଇ ସାଇକ୍ଲୋନିକ୍ ଷ୍ଟର୍ମ(ସାମୁଦ୍ରିକ ଝଡ଼)ରେ ପରିଣତ ହେବାର ସମ୍ଭାବନା ରହିଛି।ଏହାର ପ୍ରଭାବରେ ଚେନ୍ନାଇ ସମେତ ଉପକୂଳ ଅଞ୍ଚଳରେ ଡିସେମ୍ବର ୧ ଓ ୨ରେ ବର୍ଷା ହୋଇପାରେ।ସୂଚନାଥାଉ କି, ଭୀଷଣ ସାମୁଦ୍ରିକ ଝଡ଼ ରୂପ ନେଇ ନଭେମ୍ବର ୨୫ ବିଳମ୍ବିତ ରାତିରେ ପୁଡୁଚେରୀ ନିକଟରେ ବାତ୍ୟା ‘ନିଭାର’ ଲ୍ୟାଣ୍ଡଫଲ୍ କରିଥିଲା। ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିଥିଲା। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ଥିଲା। ନିଭାର ପ୍ରଭାବରେ ପୁଡୁଚେରୀ ଓ ଚେନ୍ନାଇରେ ପ୍ରବଳ ବର୍ଷା ହୋଇଥିଲା। କେତେକ ଅଞ୍ଚଳରେ କ୍ଷୟକ୍ଷତି ମଧ୍ୟ ହୋଇଥିଲା। ପୁଡୁଚେରୀରେ ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

















