ଭୁବନେଶ୍ବର,୦୨/୦୮ ଏଜେନସି : ସହର ଛାଡ଼ି ଗ୍ରାମାଞ୍ଚଳରେ ଚାକିରି କରିବାକୁ ଚାହୁଁନାହାନ୍ତି ଅଧ୍ୟାପକ। ନିଯୁକ୍ତିର ବର୍ଷେ ଦୁଇ ବର୍ଷ ନ ହେଉଣୁ ଭୁବନେଶ୍ବର, କଟକ, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା ପରି ସହରରେ ଥିବା ଡିଗ୍ରି କଲେଜକୁ ବଦଳି ହେବା ପାଇଁ ଲବି ଆରମ୍ଭ କରିଦେଉଛନ୍ତି । କିଏ ସ୍ବାସ୍ଥ୍ୟଗତ କାରଣ ଦେଖାଉଛି ତ ଆଉ କିଏ ପିଲାଙ୍କ ପାଠପଢ଼ା। ଏଭଳି ବିଭିନ୍ନ ଆଳ ଦେଖାଇ ଅଧ୍ୟାପକମାନେ ବର୍ଷ ଆରମ୍ଭରୁ ବଦଳି ପାଇଁ ଲବି କରୁଛନ୍ତି। ପରିଣାମ ସ୍ବରୂପ କେଉଁଠି ମେଞ୍ଚେ ତ ଆଉ କେଉଁଠି କେଞ୍ଚେ ଅଧ୍ୟାପକ ରହୁଛନ୍ତି। ଏମିତିକି ୨୦୧୯-୨୦ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ୩୦୦ରୁ ଅଧିକ ଅଧ୍ୟାପକଙ୍କ ବଦଳି ଫାଇଲ୍ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ଟେବୁଲ୍ରେ ପଡ଼ିରହିଛି । ବଦଳି ପାଇଁ ଲବି କରିବାକୁ କିଛି ଅଧ୍ୟାପକ ପ୍ରତିଦିନ ସଚିବାଳୟ କରିଡରରେ ଚକ୍କର କାଟୁଛନ୍ତି । ପ୍ରତିବର୍ଷ ଏଭଳି ସମସ୍ୟା ହେଉଥିବାରୁ ଅଧ୍ୟାପକଙ୍କ ବଦଳି କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟ ଦିବସରେ ଅଧ୍ୟାପକମାନଙ୍କୁ ରାଜ୍ୟ ସଚିବାଳୟ ଓ ଉଚ୍ଚଶିକ୍ଷା ନିର୍ଦେଶାଳୟକୁ ଆସିବା ଉପରେ କଟକଣା ଜାରି ହୋଇଛି। ଅଧ୍ୟାପକଙ୍କ ବଦଳି ନିଷ୍ପତ୍ତି କାର୍ଯ୍ୟକାରୀ ପାଇଁ ଏକ କମିଟି ଗଠନ କରାଯିବ। ବଦଳି ପାଇଁ ଅଧ୍ୟାପକମାନେ ଅନ୍ଲାଇନ୍ରେ ଆବେଦନ କରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।
ବିଭାଗ ଅଧୀନରେ ଥିବା ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ସମ୍ମିଳନୀରେ ଯୋଗଦେଇ ଶ୍ରୀ ସାହୁ କହିଲେ, କଲେଜଗୁଡ଼ିକରେ ଖାଲିଥିବା ୨୪୫୮ଟି ଅଧ୍ୟାପକ ପଦ ପୂରଣ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୧୬୨୫ଟି ପଦ ପୂରଣ ହୋଇଛି। ଅବଶିଷ୍ଟ ୮୩୩ ଜଣ ଅଧ୍ୟାପକଙ୍କ ଚୟନ ପ୍ରକ୍ରିୟା ଜାରି ରହିଛି। ସେପ୍ଟେମ୍ବର ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ ହେବ। କଲେଜ ଅଧ୍ୟକ୍ଷମାନେ କର୍ମଚାରୀ ସୂଚନା ପରିଚାଳନା ବ୍ୟବସ୍ଥା (ପିଆଇଏମ୍ଏସ୍)କୁ ନିୟମିତ ଭାବେ ଅପ୍ଡେଟ୍ କରିବାକୁ କୁହାଯାଇଛି। ଏହାଦ୍ବାରା କେଉଁ କଲେଜରେ କେତେ ଅଧ୍ୟାପକ ଓ କର୍ମଚାରୀ ପଦ ଖାଲି ରହିଛି ତାହା ଜଣାପଡ଼ିଯିବ। ସମସ୍ତ କଲେଜ ଯେପରି ନାକ୍ ଗ୍ରେଡ୍ ହାସଲ କରିବେ ସେଦିଗରେ ଅଧ୍ୟକ୍ଷମାନେ ଗୁରୁତ୍ବ ଦେବା ଆବଶ୍ୟକ। ଅଧ୍ୟାପକଙ୍କ ୭ ଘଣ୍ଟିଆ ଡ୍ୟୁଟିକୁ କଡ଼ାକଡ଼ି କରିବା, ବାୟୋମେଟ୍ରିକ୍ ଉପସ୍ଥାନ ଲଗାଇବାକୁ ମନ୍ତ୍ରୀ ଶ୍ରୀ ସାହୁ ଗୁରୁତ୍ବ ଦେଇଥିଲେ। ଏଥିସହ ଆଜିର ସମ୍ମିଳନୀରୁ ଯିବା ପରେ କଲେଜସ୍ତରରେ ଅଧ୍ୟାପକମାନଙ୍କ ବୈଠକ କରିବାକୁ ମନ୍ତ୍ରୀ ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇଥିଲେ । ଇମେଜ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମ୍ମିଳନୀରେ ଉଚ୍ଚଶିକ୍ଷା ବିଭାଗ କମିସନର ତଥା ଶାସନ ସଚିବ ଶାଶ୍ବତ ମିଶ୍ର ଏହାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ମଡେଲ୍ ସିଲାବସ୍ ସମ୍ପର୍କରେ ଅଧ୍ୟକ୍ଷମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବୈଠକରେ ମହାବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି, ରୁସା, ବିଶ୍ବବ୍ୟାଙ୍କ ଯୋଜନାରୁ ମିଳିଥିବା ଅର୍ଥର ବିନିଯୋଗ, କଲେଜ ଆକାଉଣ୍ଟସ୍ ପ୍ରୋସିଜିଓର ଅଟୋମେସନ୍(କାପା), ସ୍ପୋକେନ୍ ଟ୍ୟୁଟୋରିଆଲ୍, ସ୍ମାର୍ଟ କ୍ଲାସରୁମ୍, ସ୍ବୟଂଶାସିତ ମାନ୍ୟତା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟ ପ୍ରକଳ୍ପ ନିର୍ଦେଶକ(ବିଶ୍ବବ୍ୟାଙ୍କ) ବି ପରମେଶ୍ବରନ୍, ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକ ନିରଞ୍ଜନ ସାହୁ, ଅତିରିକ୍ତ ଶାସନ ସଚିବ ରାଜଶ୍ରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ୭୫ଟି କଲେଜର ଅଧ୍ୟକ୍ଷ ଯୋଗଦେଇଥିଲେ।