ହିଞ୍ଜିଳିକାଟୁ, ୧୬/୧୧(ଶେଷଦେବ ସାହୁ)- ଗତ ୧୧ ତାରିଖରେ ଗଞ୍ଜାମ ଜିଲ୍ଲାପାଳ ଭିଡ଼ିଓ କନଫେରେନ୍ସ ଜରିଆରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳ ପ୍ରଶାସନିକ ଅଧିକାରୀମାନଙ୍କ ସହ କରୋନା ନିୟମ ଓ ଗ୍ରୀନ ଦୀପାବଳୀ ପାଳନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଚଳିତ ଦୀପାବଳୀ ଉତ୍ସବରେ ପ୍ରଦୂଷଣମୁକ୍ତ ପରିବେଶ ଓ ଦୀପ ଜାଳି ଉତ୍ସବପାଳନ କରିବା ସକାଶେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଥିଲେ। ଏ ନେଇ ଗତ ୧୩ ତାରିଖ ଶୁକ୍ରବାର ସ୍ଥାନୀୟ ପୌରପରିଷଦ କାର୍ଯ୍ୟଲୟ ଠରେ ପୌର ନିର୍ବାହୀ ଅଧିକାରୀ ଡ. ମନୋରଞ୍ଜନ ସାହୁ ସହରର ସମସ୍ତ ଛୋଟ ବଡ ବ୍ୟବସାୟୀଙ୍କୁ ଡାକି ଏକ ବୈଠକ ଆୟୋଜନ କରିଥିଲେ । ଏକ ପ୍ରଦୂଷଣ ମୁକ୍ତ ପରିବେଶ ଓ ଗ୍ରୀନ ଦୀପାବଳୀ ପାଳନ ସକାଶେ ବ୍ୟବସାୟ ମାନେ ବାଣ ଓ ଆତସବାଜି ବିକ୍ରି ନ କରିବା ପାଇଁ ଅନୁରୋଧ କରିବା ସହ ୧୦ ଦିନ ଧରି ଅଳିଆ ଆବର୍ଜନା ଗୁଡିକୁ ଭ୍ରାମ୍ୟମାଣ ମଇଳା ଉଠା ଗାଡ଼ିରେ ଦେବାକୁ ସହଯୋଗ ଲୋଡିଥିଲେ। କିନ୍ତୁ ଶନିବାର ସହରରେ ଗ୍ରୀନ ଦୀପାବଳୀ ଉତ୍ସବ ପାଳନ ଅବସରରେ ବହୁ ବ୍ୟତିକ୍ରମ ଘଟିଛି । ଉକ୍ତ ଦିନ ଅପରାହ୍ନରୁ ରବିବାର ସକାଳ ସୁଦ୍ଧା ସହରର କୋଣ ଅନୁକୋଣରେ ପ୍ରଚଣ୍ଡ ଶବ୍ଦ ଯୁକ୍ତ ଆତସବାଜିରେ ସହର ଥରି ଉଠିଛି । ସହରର କିଛି ୱାର୍ଡ ବ୍ୟତୀତ ମୋହନ କଲୋନୀ,ରେଗିଡି ସାହି,ହିଂଜିଳି ଗାଁ , ମେଡିକାଲ ପଛ ସାହି ଆଦି ବହୁ ସ୍ଥାନରେ ଅତିତୀବ୍ର ଓ ଉଚ୍ଚଶବ୍ଦଯୁକ୍ତ ବିଭିନ୍ନ କିସମର ବାଣ ବ୍ୟବହୃତ ହୋଇଥିବା ଜଣାପଡିଛି। ବିଭିନ୍ନ ସାହି ଗଳିରେ ବ୍ୟବହୃତ ବାଣର ପୋଡ଼ା ଓ ଟୁକୁଡ଼ା ଅଂଶ ରାସ୍ତାରେ ଏଣେ ତେଣେ ପଡିଥିଲା ବେଳେ କିଛି ଘରର ଛାତ ଉପରେ ପଡିଥିବା ଦେଖିବାକୁ ମିଳିଛି । ଫଳରେ ପ୍ରଦୂଷଣମୁକ୍ତ ଗ୍ରୀନ ଦୀପାବଳୀ ପାଇଁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନର ଯେଉଁ ଉଦ୍ଦେଶ୍ୟ ନିହିତ ଥିଲା ତାହା କିଛି ଅସାଧୁ ବ୍ୟବସାୟୀଙ୍କ ଯୋଗୁଁ ଫସର ଫାଟିଯାଇଥିବା ଜଣାପଡିଛି।ବ୍ୟବହୃତ ବାଣ ଓ ଅତାସବାଜିର ପ୍ରଚଣ୍ଡ ଶବ୍ଦ ଓ ରସାୟନଯୁକ୍ତ ଦହନ ଫଳରେ ଛୋଟ ଛୋଟ ଶିଶୁ ଆହତ ହେବା ଓ ଅଞ୍ଚଳବାସୀ ଅଣନିଃଶ୍ୱାସୀ ହୋଇ ପଡିଥିବା ପରିବେଶ ଓ ପରିସ୍ଥିତିରୁ ସୂଚନା ମିଳିଛି ।ସହରରେ ଧୁଆଁ ଓ ବିଷାକ୍ତମୟପରିବେଶ ପାଲଟି ଏକ ଅସୁସ୍ଥ ବାତାବରଣ ସୃଷ୍ଟି ହୋଇଥିବା ଜଣାପଡିଛି । ସ୍ଥାନୀୟ ପୌର ପ୍ରଶାସନର ବାରଣ ସତ୍ତ୍ୱେ ବୈଠକରେ ଉପସ୍ଥିତ ଥିବା କିଛି ବ୍ୟବସାୟୀ ଚୋରାରେ ବିଭିନ୍ନ କିସମର ବାଣ ସାମଗ୍ରୀ ବିକ୍ରି କରି ପରୋକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଉଲଂଘନ କରିଥିବା ଜଣାଯାଇଛି । କିଛି ଅସାଧୁ ବ୍ୟବସାୟୀଙ୍କ ଚୋରା ବାଣ କାରବାର ଯୋଗୁଁ ଗ୍ରୀନ ଦୀପାବଳୀ ପାଳନରେ ଏଭଳିସମସ୍ୟା ସୃଷ୍ଟି ହୋଇଥିବା ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।ଏପରିକି କିଛି ଅସାଧୁ ବ୍ୟବସାୟୀ ଲୁକ୍କାୟିତ ଭାବେ ଗୁପ୍ତ ଗୋଦାମରେ ପ୍ରଚୁର ପରିମାଣର ବାଣ ମହଜୁଦ ରଖି ବିକ୍ରି କରିଥିବାବେଳେ ପୋଲିସ କେବଳ ହିଞ୍ଜିଳି ସହରର ଜଣେ ମାତ୍ର ବ୍ୟବସାୟୀଙ୍କୁ ବାଣ ବିକ୍ରି ଅଭିଯୋଗରେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। କିନ୍ତୁ ଦୀପାବଳୀ ରାତିରେ ଫୁଟିଥିବା ପ୍ରଚୁର ବାଣ ଓ ସୃଷ୍ଟି ହୋଇଥିବା ପରିସ୍ଥିତି ପ୍ରତି ପୋଲିସ କିଭଳି ଉଦାସୀନତା ରହିଲା ତାହା ସାଧାରଣରେ ଚର୍ଚ୍ଚା ହେଉଛି । ସ୍ଥାନୀୟ ପୌର ନିର୍ବାହୀଅଧକାରୀ ଡ ସାହୁ ଓ ତହସିଲଦାର ପ୍ରଭାତ କୁମାର ପରିଡା ଉକ୍ତ ଦିନ ସକାଳେ ସହରର ବ୍ୟବସାୟୀଙ୍କୁ ବୁଲି ବୁଲି କରୋନା ସଚେତନତା ଜାରୀ ରଖିଥିଲେ । କିନ୍ତୁ ଅସାଧୁ ବ୍ୟବସାୟୀଙ୍କ ଲୁଚା ଛପାରେ ବାଣ ବିକ୍ରି କରିବା ଓ ତତ୍ଜଜନିତ ସମସ୍ୟା ପାଇଁ କାହାର ଅଦୃଶ୍ୟ ସହଯୋଗ ଥିଲା ତାହା ଅନେକଙ୍କୁ ବିସ୍ମିତ କରିଛି। ଏଣୁ ନିର୍ବିଘ୍ନରେ ବ୍ୟବସାୟୀମାନେ ବାଣ ବିକ୍ରି କରି ମାଲାମାଲ ହୋଇଥିଲା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ବେଖାତିର କରିଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

















