ଭୁବନେଶ୍ବର,୧୪/୧୧(ଡ଼ି.ଏଚ,ବ୍ୟୁରୋ): ‘ମୋ ସ୍କୁଲ’ ପରିଚାଳନା ସଙ୍ଗଠନର ୧୮ତମ କାର୍ଯ୍ୟକାରୀ କାଉନ୍ସିଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭର୍ଚୁଆଲରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତା କରିଥିଲେ। ୨୫ ଜିଲାରେ ୧୬୧୦ ସ୍କୁଲର ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ପୁରାତନ ଛାତ୍ରଛାତ୍ରୀ ୨ କୋଟି ୪୬ ଲକ୍ଷ ୯୦ ହଜାର ୨୦ ଟଙ୍କା ପ୍ରଦାନ କରିଥିବା ବେଳେ ରାଜ୍ୟ ସରକାର ଏହାର ଦୁଇଗୁଣ ଅର୍ଥ ୪ କୋଟି ୯୩ ଲକ୍ଷ ୮୦ ହଜାର ୪୦ ଟଙ୍କା ଅନୁମୋଦନ କରିଛନ୍ତି।ଉଭୟ ପୁରାତନ ଛାତ୍ରଛାତ୍ରୀ ଓ ରାଜ୍ୟ ସରକାରଙ୍କ ଅନୁଦାନ ମିଶି ୭ କୋଟି ୪୦ ଲକ୍ଷ ୭୦ ହଜାର ୬୦ ଟଙ୍କା ବ୍ୟୟ ଅଟକଳରେ ସଂପୃକ୍ତ ବିଦ୍ୟାଳୟର ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହେବ। ଗଜପତି, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବରଗଡ଼ ଭଳି ଜିଲାକୁ ଅନୁଦାନ ସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିଛି। ଗଜପତି ଜିଲାରେ ସର୍ବାଧିକ ୫୬ ଲକ୍ଷରୁ ଅଧିକ ଟଙ୍କା ଦିଆଯାଇଛି।

















